ଭୁବନେଶ୍ୱର: ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଆଜି ସକାଳୁ କ୍ରାଇମବ୍ରାଞ୍ଚ ମନୋଜ ସାହୁଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା । ପଚରା ଉଚରା ପରେ ତାଙ୍କୁ ଆଜି ଗିରଫ କରିଛି କ୍ରାଇମବ୍ରାଞ୍ଚ । ସୂଚନା ଥାଉକି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପୁସ୍ତକରେ ୨ ହଜାରରୁ ଅଧିକ ସଂଖ୍ୟକ ଭୁଲ ବାହାରିଥିଲା । ଯାହାକୁ ନେଇ ରାଜ୍ୟ ସାରା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ସବୁଠୁ ବଡ କଥା ହେଉଛି ଏହି ଘଟଣା ବାବଦରେ ଖୋଦ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥିଲେ ଏହା ଏକ ପ୍ରକାର ଷଡଯନ୍ତ୍ର । ସେନେଇ ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ହସ୍ତାନ୍ତର କରିଥିଲେ ।ସେପଟେ ପୂର୍ବରୁ ରାଜ୍ୟ ସରକାର ମନୋଜ ପାଢ଼ୀ ଓ ଅନ୍ୟ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ କରିଥିଲେ । କେବଳ ସେତିକି ନୁହେଁ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା । ବର୍ତ୍ତମାନ ମନୋଜ ପାଢୀଙ୍କୁ ଗିରଫ କରିବା ପରେ ଏହା କେଉଁଠି ନା କେଉଁଠି ବଡ ବଡବଡିଆଙ୍କ ମନରେ ଛନକା ପଶିଛି ।










