ଭୁବନେଶ୍ବର: ରାଜଧାନୀର ଆଜାଦନଗର ବୋମା ବିସ୍ଫୋରଣ ଘଟଣା ଘଟିବାର ୫ ମାସ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ବୁଧବାର ଦିନ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଉତ୍ତରପ୍ରଦେଶରୁ ଅଭିଯୁକ୍ତ ରୋହନ ରଞ୍ଜନ ରାଉତରାୟକୁ ଉଠାଇ ଆଣିଛି NIA ଟିମ୍ । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ବୋମା ବିସ୍ଫୋରଣ ଲିଙ୍କରେ ଏନଆଇଏ ଟିମ୍ ଜାରି ରଖିଛି ଛାନଭିନ । ବୋମା ପାଇଁ ପ୍ରସ୍ତୁତ ବିସ୍ଫୋରକ ସପ୍ଲାଏ ପଛରେ ହାତ ଥିବା ସନ୍ଦେହ କରି ଉଠାଇ ଆଣି ଜେରା କରୁଛି ଟିମ୍ । ୨୦୨୬ ଜାନୁଆରୀ ୨୭ ତାରିଖରେ ଘଟିଥିଲା ବିସ୍ଫୋରଣ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦ ନଗରର ଏକ ଭଡ଼ାଘର ଛାତ ଉପରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା ।ବୋମା ତିଆରି କଲାବେଳେ ମୁଖ୍ୟ ଅଭିଯୁକ୍ତ ସେହେନବାଜ ମଲ୍ଲିକ ଓରଫ୍ ମୁଫି ଏବଂ ମାଆ ଲିଜାତୁନ୍ ବିବି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଘଟଣାସ୍ଥଳରୁ ଗନପାଉଡର ଏବଂ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଏପ୍ରିଲ ୬ରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାର ତଦନ୍ତ କରୁଛି ।










