ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନ।ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ଭିଭିଆଇପିଙ୍କ ଏହି ଗସ୍ତକୁ ନେଇ ରାଜ୍ୟ ସରକାର ଏବଂ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉପରାଷ୍ଟ୍ରପତିଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରର ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରାଯାଇଛି । ସାଧାରଣ ଜନତାଙ୍କ ଯାତାୟାତ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସହରର ଏକାଧିକ ପ୍ରମୁଖ ଛକରେ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି କରାଯାଇଛି ।
କେଉଁଠି କେତେବେଳେ ରହିବ କଟକଣା ?
କମିସନରେଟ୍ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉପରାଷ୍ଟ୍ରପତିଙ୍କ କାରକେଡ୍ ଯିବା ସମୟରେ ନିର୍ଦ୍ଦିଷ୍ଟ ରୁଟ୍ଗୁଡ଼ିକରେ ସାଧାରଣ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ।
ବିମାନବନ୍ଦରରୁ ଓୟୁଏଟି ଛକ: ସକାଳ ୧୦ଟା ୨୫ ମିନିଟ୍ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ ବିମାନବନ୍ଦର ଛକରୁ ଆରମ୍ଭ କରି ଓୟୁଏଟି ଛକ ପର୍ଯ୍ୟନ୍ତ ରାସ୍ତାରେ କଡ଼ା କଟକଣା ଲାଗୁ ରହିବ । ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାତାୟାତ ନକରିବାକୁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
ଲୋକସଭା ଭବନ ଓ ପାୱାର ହାଉସ: ସେହିପରି ପ୍ରଶାସନିକ କେନ୍ଦ୍ରବିନ୍ଦୁ ଲୋକସେବା ଭବନ ଏବଂ ପାୱାର ହାଉସ ଛକରେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ୍ କଟକଣା ବଳବତ୍ତର ରହିବ । ଏଠାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହେବେ ।
ଜୟଦେବ ବିହାର ଛକ: ଅପରାହ୍ନରେ ଉପରାଷ୍ଟ୍ରପତିଙ୍କ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଥିବାରୁ, ଦିନ ୩ଟା ୫୫ ମିନିଟ୍ ସମୟରେ ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଛକ ଜୟଦେବ ବିହାର ଦେଇ ଯାତାୟାତ ଉପରେ କଟକଣା ଲଗାଯାଇଛି ।
ଟ୍ରାଫିକ୍ ପୁଲିସର ପରାମର୍ଶ
ଭିଭିଆଇପିଙ୍କ ଗମନାଗମନକୁ ସୁଗମ କରିବା ତଥା କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କମିଶନରେଟ୍ ପୁଲିସ ସମ୍ପୂର୍ଣ୍ଣ ସଜାଗ ରହିଛି । ସାଧାରଣ ଲୋକେ ଯେପରି ଗମନାଗମନ ସମୟରେ ଅଯଥା ହଇରାଣ ନହୁଅନ୍ତି, ସେଥିପାଇଁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଟ୍ରାଫିକ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ଜରୁରୀକାଳୀନ ସେବା ଯୋଗାଉଥିବା ଯାନବାହନ, ଯେପରିକି ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।










