ଭୁବନେଶ୍ୱର: ନିର୍ବାଚନୀ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଇଣ୍ଟର୍ନସିପ୍ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ର ଛାତ୍ରଛାତ୍ରୀମାନେ ହାସଲ କରିଥିବା ଅଭିଜ୍ଞତା ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟର ଅନୁଭୂତି ଉପସ୍ଥାପନ କରିଛନ୍ତି। ଆଜି ଅପରାହ୍ନ ୩ଟା ୩୦ ମିନିଟ୍ରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏହି ଉପସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ-ସହ-ଆଲୋଚନା ଚକ୍ରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ ଅଧ୍ୟକ୍ଷତା କରିଥିଲେ। ଛାତ୍ରଛାତ୍ରୀମାନେ ଏସଆଇଆର କାର୍ଯ୍ୟସୂଚୀ ସମୟରେ କ୍ଷେତ୍ରସ୍ତରରେ ସମ୍ମୁଖୀନ ହୋଇଥିବା ବାସ୍ତବ ସମସ୍ୟା, ସେମାନଙ୍କର ନିରୀକ୍ଷଣ ଏବଂ ଶିକ୍ଷଣୀୟ ଅନୁଭୂତି ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ତଥ୍ୟ ଆଧାରିତ ବିବରଣୀ ରଖିଥିଲେ। ଇଣ୍ଟର୍ନସିପ୍ ସମୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ନେଇ କ୍ଷେତ୍ରସ୍ତରରେ ସେମାନଙ୍କର ଅନୁଭୂତି, କାର୍ଯ୍ୟପଦ୍ଧତି ଏବଂ ହାସଲ କରିଥିବା ଶିକ୍ଷଣୀୟ ଅନୁଭବକୁ ଛାତ୍ରଛାତ୍ରୀମାନେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ।
ଏହି ଉପସ୍ଥାପନା ପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯାହା ଛାତ୍ରଛାତ୍ରୀମାନଙ୍କୁ ତୃଣମୂଳ ସ୍ତରରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ନିଜ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିବାର ସୁଯୋଗ ଦେଇଥିଲା। ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟ, କ୍ଷେତ୍ରସ୍ତରର କାର୍ଯ୍ୟକଳାପ ଏବଂ ଏହି ପ୍ରକ୍ରିୟାରେ ସେମାନେ ପାଇଥିବା ଜ୍ଞାନ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଳନ ଛାତ୍ରଛାତ୍ରୀମାନଙ୍କର ଏହି ନିଷ୍ଠାପର ଉଦ୍ୟମ ଓ ସକ୍ରିୟ ସହଭାଗିତାକୁ ଉଚ୍ଚ ପ୍ରଶଂସା କରିଥିଲେ। ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ, ତ୍ରୁଟିମୁକ୍ତ ଓ ସୁଗମ କରିବାରେ ଯୁବବର୍ଗଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିବା ସହ ଛାତ୍ରଛାତ୍ରୀଙ୍କ ପ୍ରସ୍ତାବଗୁଡ଼ିକୁ ସୀକୃତି ଦେଇଥିଲେ। ଏହି ବୈଠକରେ ଉତ୍କଳ ବିଶ୍ୱବିଦ୍ୟାଳୟର ଇଣ୍ଟର୍ନ ଛାତ୍ରଛାତ୍ରୀଙ୍କ ସମେତ ଅତିରିକ୍ତ ସି ଇ ଓ ସୁଶାନ୍ତ କୁମାର ମିଶ୍ର,ବିତ୍ତ ପରାମର୍ଶଦାତ୍ତା ସଞ୍ଜୟ କୁମାର ଲୁଗୁନ ଡେ଼ପୁଟି ସି ଇ ଓ ଡ଼.ଲକ୍ଷ୍ମୀପ୍ରସାଦ ସାହୁ, ଡେ଼ପୁଟି ସିଇଓ ଅନାମିକା ସିଂ, ଡେ଼ପୁଟି ସେକ୍ରେଟାରୀ ଦିନମଣି ନାଏକ, ପ୍ରଶାସନିକ ଅଧିକାରୀ ଶାଶ୍ୱତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।










