27.1 C
Bhubaneswar
Monday, August 24, 2026
Homeଓଡିଶାରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ

ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ

ଭୁବନେଶ୍ୱର: ପାପଡ଼ାହାଣ୍ଡିର ସହିଦ ମିନାର୍‌ ସ୍ତମ୍ଭ ଆଜି ଦେଶପ୍ରେମ, ଜାତିପ୍ରେମର ନିଦର୍ଶନ ବହନ କରୁଛି । ବି୍ରଟିଶ ସରକାରଙ୍କ ନିରୀହ ଜନଜାତିର ଲୋକମାନଙ୍କ ଉପରେ ଦମନଲୀଳା ସେ ସମୟର ବର୍ବୋରଚିତ କାଣ୍ଡ ଭାବେ କଳା ଅକ୍ଷରରେ ଲିପିବଦ୍ଧ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି ପ୍ରକାଶ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠରେ ଆୟୋଜିତ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ସମାରୋହରେ ଉଦ୍‌ବୋଧନ ଦେଇ ଶ୍ରୀ ଢାଲି କହିଲେ ଯେ ଭାରତଛାଡ଼ ଆନ୍ଦୋଳନର ସ୍ୱର ପାପଡ଼ାହାଣ୍ଡିରେ ତୀବ୍ର ଭାବେ ଗୁଞ୍ଜରିତ ହୋଇଥିଲା । ଏହି ସଂଗ୍ରାମୀମାନଙ୍କ ବଳିଦାନର ଭିତ୍ତିଭୂମି ଉପରେ ଆମ ଦେଶ ଭାରତବର୍ଷ ଠିଆ ହୋଇଛି ଏବଂ ଆମେ ସ୍ୱାଧୀନତାର ଆନନ୍ଦ ନେଉଛେ ବୋଲି ସେ ଉଲ୍ଲେଖ କରିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ସାହିତି୍ୟକା ତଥା ସମାଜସେବୀ ବୃନ୍ଦାବତୀ ସାହୁ ପାପଡ଼ାହାଣ୍ଡିର ତୁରୀ ନଦୀ ତଟରେ ସଂଘଟିତ ଏହି ବର୍ବରୋଚିତ ଗୁଳିକାଣ୍ଡ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ଇଂରେଜଙ୍କ ଅମାନୁଷିକ ଗୁଳିକାଣ୍ଡରେ ୧୯ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ତେଣୁ ଏହାକୁ ରକ୍ତତୀର୍ଥ ପାପଡ଼ାହାଣ୍ଡି କୁହାଯାଏ । ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରି ପାପଡ଼ାହାଣ୍ଡି ସଂଗ୍ରାମର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ସ୍ୱାଗତ ଭାଷଣ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଆତ୍ମୋତ୍ସର୍ଗ ବଳରେ ଆମେ କଷ୍ଟଲବ୍ଧ ସ୍ୱାଧୀନତା ପାଇଛେ ବୋଲି ପ୍ରକାଶ କରିଥିଲେ । ସ୍ୱାଧୀନତା ନିମନ୍ତେ ନବରଙ୍ଗପୁର ପରି ଏକ ଆଦିବାସୀବହୁଳ ଅଞ୍ଚଳର ଜନସାଧାରଣ ଯେପରି ତ୍ୟାଗ ସ୍ୱୀକାର କରିଥିଲେ ତାହା ଉତ୍ତରପିଢ଼ିଙ୍କୁ ସବୁବେଳେ ଅନୁପ୍ରାଣିତ କରୁଥିବ ବୋଲି ସେ ଉଲ୍ଲେଖ କରିଥିଲେ । ଶବରୀ ସାଂସ୍କୃତିକ ସଂସଦର ସଦସ୍ୟ ଶ୍ରୀ ହୃଦୟ ରଞ୍ଜନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ସୁଶ୍ରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ବହୁ ଅଧିକାରୀ, ଶବରୀ ସାଂସ୍କୃତିକ ସଂସଦର ସମ୍ପାଦକ ଶ୍ରୀ ନୀଳମାଧମ ଦାଶ ଓ ଅନ୍ୟ କର୍ମକର୍ତ୍ତା ପ୍ରମୁଖଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking