ପୁରୀ : ତୁହାକୁ ତୁହା ବର୍ଷା, ପାଣିରେ ବୁଡ଼ିଲା ପୁରୀ ଅସ୍ତରଙ୍ଗର ତଳିଆ ଅଞ୍ଚଳ । ଲଗାଣ ବର୍ଷା ଯୋଗୁଁ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳରେ ଏବେ ପାଣି ଜମି ରହିଛି । ବିଶେଷ କରି ନୂଆଗଡ଼ ପଞ୍ଚାୟତର ୮ ନମ୍ବର ୱାର୍ଡର ଏକ ପ୍ରମୁଖ ରାସ୍ତା ଉପରେ ବର୍ଷା ପାଣି ଚାଲୁଥିବା ଦେଖିବାକୁ ମିଳିଛି । ପ୍ରାୟ ୨୦୦ ଫୁଟ୍ ଅଞ୍ଚଳରେ ପାଣି ଜମି ରହିଥିବାରୁ ରାସ୍ତାରେ ଯାତାୟାତ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ଦୁଇ ଚକିଆ ଯାନ ଓ ଛୋଟ ଗାଡ଼ି ଚଳାଚଳରେ ମଧ୍ୟ ସମସ୍ୟା ଦେଖାଦେଇଛି । ରାସ୍ତା ଉପରେ ପାଣି ଜମି ରହିବା ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଲଗାଣ ବର୍ଷା ହେଲେ ଏହି ଅଞ୍ଚଳରେ ପାଣି ଜମିବା ସମସ୍ୟା ସୃଷ୍ଟି ହୁଏ । ଠିକ୍ ଭାବେ ଜଳ ନିଷ୍କାସନ ହୋଇନପାରିବାରୁ ରାସ୍ତା ଉପରେ ପାଣି ଜମି ରହୁଛି । ଫଳରେ ଦୈନନ୍ଦିନ ଯାତାୟାତ ସହ ସ୍ଥାନୀୟ ଲୋକଙ୍କ ଜୀବନଯାପନ ପ୍ରଭାବିତ ହେଉଛି । ତେବେ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବା ସହ ରାସ୍ତାରୁ ଜମିଥିବା ପାଣି ତୁରନ୍ତ ହଟାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।









