ଭୋପାଳ: ମଧ୍ୟପ୍ରଦେଶର ଦତିଆରେ ଶୁକ୍ରବାର- ଶନିବାର ଦଳୀୟ ଟିକେଟ ବଣ୍ଟନକୁ ନେଇ ବିଜେପି କର୍ମୀ ଭୟଙ୍କର ହିଂସାକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ଦତିଆରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ଟିକେଟ ନ ମିଳିବାକୁ ନେଇ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କର ୩୦୦୦ରୁ ଅଧିକ ସମର୍ଥକମାନେ ଏନ୍ଏଚ୍-୪୪ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ୧୨ ଘଣ୍ଟାରୁ ଅଧିକ ସମୟ ଧରି ସେମାନଙ୍କ ପ୍ରତିବାଦ ଚାଲିଥିବାରୁ ଜାତୀୟ ରାଜପଥରେ ଟ୍ରାଫିକ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ନରୋତ୍ତମ ମିଶ୍ରଙ୍କ ସମର୍ଥକମାନେ ପୁଲିସ ଉପରକୁ ପଥର ଫିଙ୍ଗିବା ସହିତ ଟ୍ରକ୍ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ। ପୁଲିସ ଭିଡ଼କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ଓ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ନେତାମାନଙ୍କୁ ଗୃହବନ୍ଦୀ କରିଥିଲା। ଜିଲ୍ଲା ପ୍ରଶାସନ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା ୧୬୩ ମଧ୍ୟ ଲାଗୁ କରିଥିଲା।










