ଭୁବନେଶ୍ୱର: ଦୟାନଦୀରେ ଅଘଟଣ । ମାଛ ଧରିବାକୁ ଯାଇ ନଦୀରେ ବୁଡ଼ି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ଛାୟା ଖେଳିଯାଇଛି । ସୂଚନା ଅନୁସାରେ, କଣାସ ବ୍ଲକ ଜାଗୁଳେଇପଦର ନିକଟ ଦୟାନଦୀରେ ଏହି ଅଘଟଣ ଘଟିଛି । ଜଣେ ମତ୍ସ୍ୟଜୀବୀ ଡଙ୍ଗା ଯୋଗେ ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ଡଙ୍ଗାରୁ ଖସି ନଦୀରେ ପଡ଼ିଯାଇଥିଲେ । ପରେ ସେ ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏନେଇ ପ୍ରଶାସନକୁ ଖବର ଦିଆଯିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ଜାରି ରଖିଛନ୍ତି । ତେବେ ଏପର୍ଯ୍ୟନ୍ତ ନିଖୋଜ ମତ୍ସ୍ୟଜୀବୀଙ୍କ କୌଣସି ସନ୍ଧାନ ମିଳିନାହିଁ ।










