ଭୁବନେଶ୍ୱର: ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା । ଏହାକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡିଜିପି ୱାଇ ବି ଖୁରାନିଆ । ଡିଜିପିଙ୍କ କହିବା ଅନୁସାରେ, ୨୦୧୩ ବ୍ୟାଚର ଆଇପିଏସ ଅଧିକାରୀ ଜଗମୋହନ ମୀନା ବ୍ୟକ୍ତିଗତ କାରଣରୁ ନିଜ ପଦରୁ ପଦତ୍ୟାଗ କରିଛନ୍ତି । ଭୁବନେଶ୍ୱରର ଆଇନ – ଶୃଙ୍ଖଳା ଦାୟିତ୍ୱ ରଖୁଥିବା ଡିସିପି ଭାବେ ସେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଏସପି ଏବଂ ଗଞ୍ଜାମ ଏସପି ଭାବେ ମଧ୍ୟ ଦାୟିତ୍ୱ ସଫଳତାର ସହିତ ନିଭାଇଥିଲେ । ତେବେ ଇସ୍ତଫା ପରେ ପ୍ରଶାସନିକ ମହଲାରେ ଆଲୋଚନାର ଆରମ୍ଭ ହୋଇଛି । ସେ ଏକ ଘରୋଇ କଂପାନୀରେ ଯୋଗ ଦେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏହି ପରିପ୍ରେକ୍ଷୀରେ ଡିସିପି ଜଗମୋହନ ମୀନା ପ୍ରତିକ୍ରିୟା ରଖି କହିଛନ୍ତି, ଅନ୍ୟ କୌଣସି ନୁହେଁ, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି । ପରିବାର ଏବଂ ସାଙ୍ଗସାଥୀଙ୍କ ସହ କଥା ହେବା ପରେ ଏହି ନିଷ୍ପତ୍ତି ନେଇଛି । କୌଣସି କାରଣ ନଥିଲା, ଲୋକଙ୍କ ସେବା କରିବାର ସୁଯୋଗ ପାଇଛି । ଓଡିଶାର ଲୋକେ ବହୁତ ଭଲ, ଜଗନ୍ନାଥଙ୍କ ଆଶୀର୍ବାଦ ମୋ ଉପରେ ରହୁ ।










