ଭୁବନେଶ୍ୱର : ରାଜ୍ୟରେ ବର୍ଷା କମିଥିଲେ ମଧ୍ୟ ଟଳିନି ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ୁଛି । ବୈତରଣୀ ନଦୀରେ ଛୋଟ ଧରଣର ବନ୍ୟା ଆସିପାରେ ବୋଲି ସତର୍କ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ସେପଟେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯିବ କି ନାହିଁ, ତାହା ନେଇ ଆଗାମୀ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ । ଲଗାଣ ବର୍ଷାର ପ୍ରଭାବରେ ଉପରମୁଣ୍ଡ ଅଞ୍ଚଳରେ ନଦୀଗୁଡ଼ିକର ଜଳପ୍ରବାହ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ବୈତରଣୀ ନଦୀରେ ଛୋଟ ଧରଣର ବନ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ବିଶେଷକରି ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ପଡ଼ିପାରେ । ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ସେପଟେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଓ ଉପରମୁଣ୍ଡର ବର୍ଷା ପରିସ୍ଥିତିକୁ ଆକଳନ କରାଯାଉଛି । ଆଗାମୀ ଦୁଇ ଦିନ ମଧ୍ୟରେ ଆବଶ୍ୟକତା ଅନୁଯାୟୀ ହୀରାକୁଦ ଡ୍ୟାମର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଏହା ସହ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ଉପରେ ମଧ୍ୟ ପାଣିପାଗ ବିଭାଗ ନଜର ରଖିଛି । ଏହାର ପ୍ରଭାବରେ ପୁଣି ବର୍ଷା ବଢ଼ିଲେ ବନ୍ୟା ପରିସ୍ଥିତି ଜଟିଳ ହୋଇପାରେ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ସ୍ଥିତିକୁ ନେଇ ସରକାର ଓ ଜଳସମ୍ପଦ ବିଭାଗ ସତର୍କ ରହିଥିବବେଳେ, ନଦୀକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ଓ ନଦୀର ଜଳସ୍ତର ଉପରେ ପ୍ରଶାସନର କଡ଼ା ନଜର ରହିଛି ।










