ଇସଲାମାବାଦ: ଦକ୍ଷିଣ- ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ବସ୍ଟି ଗଭୀର ଖାଇକୁ ଖସି ପଡ଼ିଥିଲା। ବସ୍ରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବା କୁହାଯାଉଛି। ବସ୍ଟି କ୍ବଏଟାରୁ ଇସଲାମାବାଦ ଯାଉଥିଲା। ବସ୍ରେ ମୋଟ ୪୮ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ବଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ସହିଦ ରିନ୍ଦ କହିଛନ୍ତି ଯେ, ବଲୁଚିସ୍ତାନ ଓ ଖାଇବର ପଖତୁନଖ୍ୱା ପ୍ରଦେଶ ସୀମା ନିକଟରେ ଥିବା ଏକ ଦୁର୍ଗମ ଅଞ୍ଚଳରେ ବସ୍ଟି ନିୟନ୍ତ୍ରଣ ହରାଇ ଏକ ଘାଟିରେ ଖସି ପଡ଼ିଥିଲା। ବସ୍ଟି କ୍ବଏଟାରୁ ୩୬ ଯାତ୍ରୀଙ୍କୁ ନେଇ ଆସୁଥିବାବେଳେ ରାସ୍ତାରେ ଖରାପ ହୋଇଯାଇଥିବା ଅନ୍ୟ ଏକ ବସ୍ର ଯାତ୍ରୀ ଏହି ଗାଡ଼ିକୁ ଚାଲି ଆସିବା ଯୋଗୁ ଗାଡ଼ି ଭିତରେ ଅଧିକ ଗହଳି ହୋଇଯାଇଥିଲା। ରିନ୍ଦ କହିଛନ୍ତି, ଉଦ୍ଧାରକାରୀ ଦଳ ମୃତକଙ୍କୁ ଚିହ୍ନଟ କରୁଛି। ପାକିସ୍ତାନରେ ରାସ୍ତାଘାଟ ଖରାପ ହୋଇଥିବାରୁ ସଡ଼କ ଦୁର୍ଘଟଣା ସାଧାରଣ କଥା ହୋଇଥାଏ। ମେ ମାସରେ ଉତ୍ତର ପଶ୍ଚିମ ପାକିସ୍ତାନରେ ରାସ୍ତାରେ ଛିଡା ହୋଇଥିବା ଏକ ବସ୍ ସହିତ ମିନିବସ୍ ଧକ୍କାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନ୍ୟ ପାଞ୍ଚ ଜଣ ଆହତ ହୋଇଥିଲେ। ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲି ଜର୍ଦ୍ଦାରୀ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗ୍ତୀ ମଧ୍ୟ ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିବା ସହିତ ଆହତଙ୍କୁ ଡାକ୍ତରୀ ଚିକିତ୍ସା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ମେଡିକାଲ୍ ଜରୁରୀକାଳୀନ ପ୍ରତିକ୍ରିୟା କେନ୍ଦ୍ର ଅନୁଯାୟୀ, ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରୁ ୪୦ ଟି ମୃତଦେହ ଉଦ୍ଧାର କରିଛି। ଆଠ ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଝୋବ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଦୁର୍ଘଟଣାର କାରଣ ତଦନ୍ତ କରୁଛି।










