ପୁରୀ: ଜୁଲାଇ ୧୮ରେ ହେବ ଶ୍ରୀମନ୍ଦିରର ବୈଷୟିକ ଯାଞ୍ଚ । ରତ୍ନଭଣ୍ଡାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସଂରଚନାର ସ୍ଥିତି ଅନୁଧ୍ୟାନ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଜେଟିଏ)ର ମିଳିତ ଟିମ୍ ପୁରୀରେ ପହଞ୍ଚି ବିସ୍ତୃତ ବୈଷୟିକ ଯାଞ୍ଚ କରିବେ । ଏହି ଯାଞ୍ଚ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏଏସ୍ଆଇକୁ ଆନୁଷ୍ଠାନିକ ଭାବେ ଚିଠି ପଠାଯାଇଛି । ଜୁଲାଇ ୧୮ ତାରିଖରେ ବିଶେଷଜ୍ଞ ଟିମ୍ ମନ୍ଦିରର ବିଭିନ୍ନ ଅଂଶର ସ୍ଥିତି, ସୁରକ୍ଷା ଏବଂ ସଂରକ୍ଷଣ ସମ୍ପର୍କରେ ବୈଷୟିକ ଅନୁଧ୍ୟାନ କରିବେ । ଯାଞ୍ଚ ଶେଷ ହେବା ପରେ ଏଏସ୍ଆଇ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ବୈଷୟିକ ଯାଞ୍ଚ ରିପୋର୍ଟକୁ ଆଧାର କରି ମନ୍ଦିରର ସଂରକ୍ଷଣ, ମରାମତି ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରାଯିବ । ଶ୍ରୀମନ୍ଦିରର ଐତିହ୍ୟ ଓ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ବୈଷୟିକ ଯାଞ୍ଚ କରାଯାଉଥିବାବେଳେ, ଏହାର ରିପୋର୍ଟ ଆଧାରରେ ଭବିଷ୍ୟତର ସଂରକ୍ଷଣ କାର୍ଯ୍ୟ ନିର୍ଦ୍ଧାରଣ ହେବ ବୋଲି ସୂଚନା ମିଳିଛି ।










