32.4 C
Bhubaneswar
Wednesday, July 1, 2026
Homeଓଡିଶାଗ୍ୟାସ ଟ୍ରାଜେଡି: ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଗ୍ୟାସ ଟ୍ରାଜେଡି: ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଚେନ୍ନାଇ: ତାମିଲନାଡୁ ଗ୍ୟାସ ଲିକ ଘଟଣାରେ ହରିଚନ୍ଦନପୁର ବ୍ଲକ ଖରବା ଗ୍ରାମର ଭୀମ ଜୁଆଙ୍ଗଙ୍କ ଝିଅ ଅଞ୍ଚଳି ଜୁଆଙ୍ଗଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝରରୁ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ଅନୁଗୁଳ ଖମାରର ଜଣଙ୍କର ମୃତ୍ୟୁ ହୋଇଥିବାରୁ ସମୁଦାୟ ମୃତ୍ୟୁ ସଂଖ୍ୟା ୧୪କୁ ଛୁଇଁଛି । ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ସାଂଘାତିକ ଅଭିଯୋଗ ସାମନାକୁ ଆସିଛି। ଜୁଆଙ୍ଗ ନାବାଳିକାଙ୍କୁ କାରଖାନାରେ କାମ କରାଇବା ପାଇଁ ସେମାନଙ୍କ ଆଧାରକାର୍ଡ ସମେତ ବିଭିନ୍ନ ପରିଚୟପତ୍ରକୁ ଜାଲିଆତି କରାଯାଇଛି। ଏ ସଂପର୍କରେ ତେଲକୋଇ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ଶ୍ରମିକ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ବିରୋଧରେ ଶ୍ରମ ବିଭାଗ ପକ୍ଷରୁ ତେଲକୋଇ ଥାନାରେ ଏତଲା ଦିଆଯାଇଛି।  ଏହାଛଡ଼ା ବେଆଇନ ଶ୍ରମିକ ନିଯୁକ୍ତି, ମାନବ ଚାଲାଣ ଓ ଜାଲିଆତି ଅଭିଯୋଗର ଅଧିକ ତଦନ୍ତ ପାଇଁ ସ୍ୱତନ୍ତ୍ର ପୁଲିସ ଟିମ୍ ଖୁବ୍‌ଶୀଘ୍ର ତାମିଲନାଡ଼ୁ ଯିବ। ହରିଚନ୍ଦନପୁର ଓ ନୟାକୋଟ ଥାନାରେ ମଧ୍ୟ ସମାନଧରଣର ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି। ତେଲକୋଇ ସହକାରୀ ଶ୍ରମ ଅଧିକାରୀଙ୍କ ପକ୍ଷରୁ ଥାନା ଅଧିକାରୀଙ୍କୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଶ୍ରୀକାନ୍ତ ଜୁଆଙ୍ଗ ଉଚ୍ଚ ବେତନ ଓ ଭଲ ଚାକିରିର ପ୍ରଲୋଭନ ଦେଖାଇ ୨୦୨୫ ଅକ୍ଟୋବରରେ ଅନେକ ଶ୍ରମିକଙ୍କୁ ତାମିଲନାଡ଼ୁ ପଠାଇଥିଲା। ସେମାନଙ୍କ ମଧ୍ୟରେ କିଛି ନାବାଳିକା ରହିଛନ୍ତି। ବୟସ୍କ ମହିଳାଙ୍କ ଆଧାରକାର୍ଡ ବ୍ୟବହାର କରି ସେମାନଙ୍କୁ ସାବାଳିକା ଦର୍ଶାଯାଇ କାରଖାନାରେ ନିଯୁକ୍ତି ଦିଆଯାଇଥିଲା। ରଙ୍ଗମାଟିଆ ଗ୍ରାମର ନାବାଳିକା ଯାମିନୀ ଜୁଆଙ୍ଗଙ୍କୁ ବଲାଣିପଶି ଗ୍ରାମର ମହିଳା ପାର୍ବତୀ ଜୁଆଙ୍ଗ ବୋଲି ଦର୍ଶାଯାଇଥିଲା। ବିଷାକ୍ତ ଆମୋନିଆ ଗ୍ୟାସ୍‌ ସଂସ୍ପର୍ଶରେ ଆସି ଯାମିନୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅବୈଧ ପ୍ରବାସୀ ଶ୍ରମିକ ନିଯୁକ୍ତି, ନାବାଳିକାଙ୍କୁ ବିପଜ୍ଜନକ କାର୍ଯ୍ୟରେ ନିୟୋଜନ, ଜାଲ୍‌ ଦସ୍ତାବିଜ ପ୍ରସ୍ତୁତି, ପ୍ରତାରଣା ଏବଂ ମାନବ ଚାଲାଣ ଅଭିଯୋଗର ସମ୍ପୂର୍ଣ୍ଣ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ତେଲକୋଇ ଥାନାକୁ ଅନୁରୋଧ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking