22.1 C
Bhubaneswar
Friday, November 20, 2026
Homeଓଡିଶାଗୃହ କାର୍ଯ୍ୟରେ ବାଧା ସୃଷ୍ଟି ନକରି ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା ପାଇଁ ଆଗକୁ ଆସନ୍ତୁ...

ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ନକରି ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା ପାଇଁ ଆଗକୁ ଆସନ୍ତୁ ବିରୋଧୀ: ଇରାସିସ୍ ଆଚାର୍ଯ୍ୟ

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ହେଉଛି ଏକ ପବିତ୍ର ଗୃହ, ଯେଉଁଠାରେ ରାଜ୍ୟବାସୀ ଏବଂ କରଦାତାଙ୍କ ଅର୍ଥ ଖର୍ଚ୍ଚ ହେଉଛି। ମାତ୍ର ଗତ ଦୁଇ ଦିନ ଧରି ବିରୋଧୀ ଦଳ ଗୃହରେ ହଟ୍ଟଗୋଳ କରି ବିଧାନସଭା କାର୍ଯ୍ୟକୁ ବନ୍ଦ କରିଦେଉଛନ୍ତି। ବିଧାନସଭାରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା କିମ୍ବା ସମାଧାନ କରିବାକୁ ନଦେଇ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନକୁ ଅଟକାଇବା ଅତ୍ୟନ୍ତଦୁର୍ଭାଗ୍ୟଜନକ ବୋଲି ଭଟଲୀ ବିଧାୟକ ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି।

ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଆମେ ଚାହୁଁଛୁ ଗୃହ ସଠିକ୍ ଭାବରେ ଚାଲୁ ଏବଂ ଶୃଙ୍ଖଳିତ ଭାବେ କାର୍ଯ୍ୟ ହେଉ। ସରକାର ସମସ୍ତ ବିଷୟ ଉପରେ ଆଲୋଚନା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବିରୋଧୀ ଦଳ ଯେଉଁ ଦୁଇଟି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରୁଛନ୍ତି, ତାହା ନିଶ୍ଚିତ ଭାବରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ । କିନ୍ତୁ ଗୃହ ଭିତରେ ସେ ବିଷୟରେ ଆଲୋଚନା ନକରି ଗୃହକୁ ବନ୍ଦ କରିଦେବା ଏବଂ ବାହାରେ ଗଣମାଧ୍ୟମ ଆଗରେ ଭିନ୍ନ ମନ୍ତବ୍ୟ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ।

ବିରୋଧୀ ଦଳ ସଠିକ୍ ପ୍ରଶ୍ନ ଗୃହରେ ଉପସ୍ଥାପନ କରନ୍ତୁ, ସରକାର ତାହା ଶୁଣିବାକୁ ଏବଂ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରସ୍ତୁତ ଅଛନ୍ତି। ମାତ୍ର ସରକାର ଯେତେବେଳେ ସମ୍ପୃକ୍ତ ପ୍ରସଙ୍ଗ ଉପରେ ଉତ୍ତର ରଖୁଛନ୍ତି, ବିରୋଧୀ ଦଳ ତାହାକୁ ସାମ୍ନା କରିବାକୁ ପ୍ରସ୍ତୁତ ନାହାନ୍ତି। ବିଗତ ୨୪ ବର୍ଷର ଶାସନ କାଳର ସତ୍ୟତା ପଦାକୁ ଆସିଯିବା ଭୟରେ ବିରୋଧୀ ଦଳ ଏପରି ଆଚରଣ କରୁଛନ୍ତି, ଯାହାକୁ ଓଡ଼ିଶାବାସୀ କେବେ ବି ବରଦାସ୍ତ କରିବେ ନାହିଁ। ୨୦୨୪ ନିର୍ବାଚନରେ ରାଜ୍ୟବାସୀ ଯେଉଁ କାରଣରୁ ପୂର୍ବ ସରକାରଙ୍କୁ ପରିବର୍ତ୍ତନ କରିଥିଲେ, ତାହାର ବାସ୍ତବ ଚିତ୍ର ଏବେ ସମସ୍ତେ ଦେଖୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

କୋଟିଆ ପ୍ରସଙ୍ଗରେ ନିଜର ମତ ରଖି ବିଧାୟକ ଶ୍ରୀ ଆଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି ଯେ, କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ। କୋଟିଆର ସୁରକ୍ଷା ଓ ବିକାଶ ପାଇଁ ସମସ୍ତେ ଏକାଠି ହୋଇ ଗୃହରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ବିଭିନ୍ନ ପ୍ରସଙ୍ଗ ନାଁରେ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଅତ୍ୟନ୍ତ ନିନ୍ଦନୀୟ। କେବଳ ଗୃହ କାର୍ଯ୍ୟକୁ ବନ୍ଦ ନକରି, ସମସ୍ତେ ମିଳିମିଶି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାଟ ବାହାର କରିବା ଉଚିତ୍‌। କାହା ଇଙ୍ଗିତରେ ବିରୋଧୀ ଦଳ ଗୃହରେ ଏପରି ବ୍ୟବହାର କରୁଛନ୍ତି, ତାହା ଜନସାଧାରଣଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking