ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ବିଶ୍ୱବ୍ୟାପୀ ଦେଖାଦେଇଥିବା ବଡ଼ ଧରଣର ବୈଷୟିକ ଅଚଳାବସ୍ଥା ପରେ ଶନିବାର ଦିନ ମାଇକ୍ରୋସଫ୍ଟର ସମସ୍ତ ସେବା ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇଛି। ଗୁରୁବାର ବିଳମ୍ବିତ ରାତିରୁ ଆଉଟଲୁକ୍ ଇମେଲ୍ ସମେତ ବିଭିନ୍ନ କର୍ପୋରେଟ୍ ଡିଜିଟାଲ୍ ସେବା ଠପ୍ ହୋଇପଡ଼ିଥିଲା। ଶନିବାର ସକାଳେ କମ୍ପାନୀର ସର୍ଭିସ୍ ହେଲ୍ଥ ପେଜରେ ସମସ୍ତ ଉତ୍ପାଦ ପୁନଃକାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦିଆଯିବା ସହ ଅସୁବିଧା ପାଇଁ ଗ୍ରାହକଙ୍କୁ କ୍ଷମା ପ୍ରାର୍ଥନା କରାଯାଇଛି।
କମ୍ପାନୀ ପକ୍ଷରୁ ”ଏକ୍ସ”ରେ ସ୍ପଷ୍ଟ କରାଯାଇଛି ଯେ ଏହି ବିଭ୍ରାଟ ପଛରେ କୌଣସି ସାଇବର ଆକ୍ରମଣ କିମ୍ବା ଏଆଇର ହାତ ନଥିଲା। ବରଂ ନେଟୱର୍କ କ୍ଷମତା ବୃଦ୍ଧି ସମୟରେ ରହିଯାଇଥିବା ଏକ ତ୍ରୁଟି ଯୋଗୁଁ ନେଟୱର୍କ ପେରିମିଟରରେ ହଠାତ୍ ଅତ୍ୟଧିକ ଡାଟା ଚାପ ପଡ଼ିଥିଲା। ଫଳରେ ସେବା ପୁନରୁଦ୍ଧାର କରିବା କଷ୍ଟକର ହୋଇପଡ଼ିଥିଲା ବୋଲି କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଚାର୍ଲ୍ସ ଲାମାନା ସୂଚନା ଦେଇଛନ୍ତି। ଭବିଷ୍ୟତରେ ଏଭଳି ସମସ୍ୟା ଏଡ଼ାଇବାକୁ ଇଞ୍ଜିନିୟରିଂ ଦଳ ଏହାର ସମୀକ୍ଷା କରୁଛନ୍ତି।










