ଭୁବନେଶ୍ୱର: ରାଜ୍ୟର କୁନି ପ୍ରତିଭାମାନଙ୍କୁ ନେଇ ଆୟୋଜିତ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଆଜି ପବିତ୍ର ଶିଶୁ ଦିବସ ଅବସରରେ ବେଶ୍ ଉତ୍ସାହ ଏବଂ ଉଲ୍ଲାସର ସହିତ ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନୀ ଉତ୍ସବରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ସମାରୋହରେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ଼ା. ଏନ୍. ତିରୁମାଲା ନାଏକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀମତୀ ଯୁଗଲେଶ୍ୱରୀ ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବାଳମୁକୁନ୍ଦ ଭୂୟାଁ ଏବଂ ଓସେପାର ଭାରପ୍ରାପ୍ତ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ସଙ୍ଗୀତା ବେହେରା ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ଉଦ୍ଯାପନୀ ଅଭିଭାଷଣ ଦେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ଗୋଟିଏ ଜାତିର ପ୍ରକୃତ ଶକ୍ତି ହେଉଛି ତାହାର ଶିକ୍ଷିତ, ସଚେତନ ଓ ଦକ୍ଷ ଯୁବପିଢ଼ି । ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତ୍ୟେକ ଶିଶୁ ଯେପରି ଗୁଣାତ୍ମକ ଶିକ୍ଷା, ସମାନ ସୁଯୋଗ ଓ ଏକ ସୁରକ୍ଷିତ ଶିକ୍ଷଣ ପରିବେଶ ପାଇପାରିବେ, ସେଥିପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ବିଦ୍ୟାଳୟର ଭିତ୍ତିଭୂମି ବିକାଶ, ଶିକ୍ଷାଦାନର ମାନ ବୃଦ୍ଧି, ଶିକ୍ଷକମାନଙ୍କ ଦକ୍ଷତା ବିକାଶ, ଡିଜିଟାଲ ଓ ବୈଷୟିକ ଶିକ୍ଷାର ପ୍ରସାର ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ସୃଜନଶୀଳତା, କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଭାର ବିକାଶକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଶିଶୁଟିଏ ହେଉଛି ଗୋଟିଏ ପରିବାରର ଆଶା, ସମାଜର ସମ୍ଭାବନା ଏବଂ ରାଷ୍ଟ୍ରର ଭବିଷ୍ୟତ । ତେଣୁ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ସୁସ୍ଥ, ସୁନ୍ଦର ଓ ସୁଯୋଗପୂର୍ଣ୍ଣ ପରିବେଶ ଗଢ଼ିଦେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି । ଏଥିସହ ଉଦ୍ୟମ, ଶୃଙ୍ଖଳା, ପରିଶ୍ରମ ଫଳରେ ସଫଳତା ମିଳିବ ବୋଲି ମନ୍ତ୍ରୀ ପିଲାମାନଙ୍କୁ ଉତ୍ସାହିତ କରି କହିଛନ୍ତି ।
ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ମେୟର୍ ଶ୍ରୀମତୀ ସୁଲୋଚନା ଦାସ କହିଥିଲେ ଯେ ରାଜ୍ୟର କୋଣଅନୁକୋଣରୁ ଛାତ୍ରଛାତ୍ରୀମାନେ ସୁରଭି ମହୋତ୍ସବକୁ ଅପେକ୍ଷା କରି ରହିଥାନ୍ତି । ଏହି ମଞ୍ଚ ସେମାନଙ୍କୁ ଦକ୍ଷତା ପ୍ରଦର୍ଶନର ସୁଯୋଗ ପ୍ରଦାନ କରିଥାଏ । ଏଭଳି ଏକ ବୃହତ୍ ସ୍ତରରେ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ଼ା. ଏନ୍. ତିରୁମାଲା ନାଏକ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଏହି ମହୋତ୍ସବର ସମାନ ଉତ୍ସାହ ସହିତ ଅଂଶଗ୍ରହଣ ଜାରି ରଖିବାକୁ ପ୍ରୋତ୍ସାହିତ କରିଥିଲେ । ସେ ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ମାର୍ଜିତ କରିବା ଏବଂ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହ ସୁରଭିର ସଫଳ ଆୟୋଜନ ନିମନ୍ତେ ସମସ୍ତ ଅଧିକାରୀ, କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ ‘ପଢ଼ିବା ଗଢ଼ିବା, ଓଡ଼ିଶା ପୁସ୍ତକମାଳା’ ଏବଂ ‘ଅକ୍ଷର ଓ ଅଙ୍କ’ ପତ୍ରିକାର ଶୁଭ ଉନ୍ମୋଚନ କରିଛନ୍ତି ମାନ୍ୟବର ମନ୍ତ୍ରୀ । ଶିକ୍ଷାର୍ଥୀଙ୍କ ମଧ୍ୟରେ ପଠନ ଅଭ୍ୟାସ ଏବଂ ମୌଳିକ ସାକ୍ଷରତା ଦକ୍ଷତା ବୃଦ୍ଧି ପାଇଁ ପ୍ରସ୍ତୁତ ୩୦୦ଟି ନୂତନ ବୟସ ଉପଯୋଗୀ ପଠନ ସାମଗ୍ରୀ (Readers)କୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ । ସେହିପରି ନିପୁଣ ଓଡ଼ିଶା ମିଶନର ସଫଳତା, ଅଭିନବ ପ୍ରୟାସ ଏବଂ ଛାତ୍ରଛାତ୍ରୀଙ୍କ ସୃଜନଶୀଳ କଳାକୃତିକୁ ନେଇ ପ୍ରସ୍ତୁତ ତ୍ରୈମାସିକ ପତ୍ରିକା ‘ଅକ୍ଷର ଓ ଅଙ୍କ’ ର ଶୁଭ ଉନ୍ମୋଚନ କରାଯାଇଥିଲା ।
ଚଳିତ ବର୍ଷ ସୁରଭି ମହୋତ୍ସବ ଅବସରରେ ଚତୁର୍ଥ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, କୁଇଜ୍, ପ୍ରବନ୍ଧ ଲିଖନ, ବକ୍ତୃତା, ସୃଜନଶୀଳ ଲିଖନ, ସଙ୍ଗୀତ, ବିତର୍କ ଏବଂ ଓଡ଼ିଆ ହସ୍ତାକ୍ଷର ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦ୍ଯାପନୀ ସନ୍ଧ୍ୟାରେ ମଞ୍ଚରେ ଉପସ୍ଥିତ ମାନ୍ୟବର ଅତିଥିବୃନ୍ଦ ବିଭିନ୍ନ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ତିନୋଟି ଜିଲ୍ଲାକୁ ପୁରସ୍କୃତ କରାଯାଇଥିଲା ।
ଏହି ରାଜ୍ୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ପ୍ରାୟତଃ ୨୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକଶିକ୍ଷୟିତ୍ରୀ ଏବଂ ୧୦୦୦ରୁ ଉର୍ଦ୍ଧ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା, ସ୍ଥାନୀୟ ପରିଭ୍ରମଣ, ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତକାର, ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ମଡ଼େଲ ୟୁନାଇଟେଡ୍ ନେସନ୍ ପାଭିଲିୟନ, କର୍ମଶାଳା ଓ ବିଭିନ୍ନ ପ୍ରଦର୍ଶନୀ ଏବଂ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ମୋଟ୍ ୨୧ ଟି ଷ୍ଟଲରେ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର, ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ଏବଂ କ୍ରୀଡ଼ା ଉତ୍କର୍ଷତା କେନ୍ଦ୍ର ପ୍ରଦର୍ଶିତ ହୋଇଥିବା ବେଳେ ବୃତ୍ତି ଚୟନ ସଚେତନତା ଓ ମାର୍ଗଦର୍ଶନ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ଛାତ୍ରାବାସ, ଶ୍ରୀଅନ୍ନ ଅଭିଯାନ ଆଦି ରହିଥିଲା । ଏଥିସହିତ କାଗଜ ଭଙ୍ଗା ଓ ସଖୀ କଣ୍ଢେଇ ନାଚ ସମ୍ପର୍କିତ ସୃଜନଶୀଳ କର୍ମଶାଳା ଆୟୋଜନ କରାଯାଇଥିଲା ।










