ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପୁସ୍ତକରେ ହଜାର ରୁ ଅଧିକ ସଂଖ୍ୟକ ଭୁଲ ଦେଖାଦେଇଥିଲା । ଯାହା ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ସୋସିଆଲ ମିଡିଆରେ ସରକାର ନାହିଁ ନଥିବାର ଟ୍ରୋଲ ହେଉଥିବା ବେଳେ ଗଣମାଧ୍ୟମ ବି ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ କହିଥିଲେ , ଭୁଲ ବହିକୁ ଶିକ୍ଷକ , ଶିକ୍ଷୟତ୍ରୀ ସଂଶୋଧନ କରି ପଢ଼େଇବେ ପୁଣି ଗତକାଲି ମନ୍ତ୍ରୀ କହୁଛନ୍ତି ଯେ ତ୍ରୁଟିପୂର୍ଣ୍ଣ ପୁସ୍ତକ କୁ ସଂଶୋଧିତ କରି ଦିଆଯିବ । ତେବେ ମନ୍ତ୍ରୀଙ୍କ ବାରମ୍ବାର ନିଷ୍ପତି ବଦଳିବା, ଭୁଲ ପାଠ୍ୟପୁସ୍ତକ ଛାପିବା ପରେ ସେଗୁଡ଼ିକୁ ପ୍ରତ୍ୟାହାର କରିବା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ନବୀନ ପଟନାୟକ ଉଦବେଗ ପ୍ରକାଶ କରି ଲେଖିଛନ୍ତି ଯେ ବିଦ୍ୟାଳୟର ପୁସ୍ତକ କେବଳ ବହି ନୁହେଁ, ପ୍ରତ୍ୟେକ ଶିଶୁ ପାଇଁ ଏହା ହେଉଛି ସତ୍ୟ ଓ ତଥ୍ୟ ସହ ପରିଚିତ ହେବାର ପ୍ରଥମ ମାଧ୍ୟମ। ଶିଶୁଟିଏ ଅନେକ କଥାକୁ ପ୍ରଶ୍ନ କରିପାରେ, କିନ୍ତୁ ସ୍କୁଲ ପାଠ୍ୟପୁସ୍ତକରେ ଛପା ହୋଇଥିବା ଶବ୍ଦକୁ କେବେ ସନ୍ଦେହ କରେ ନାହିଁ। ପାଠ୍ୟପୁସ୍ତକ ପ୍ରତି ସେମାନଙ୍କର ଅଗାଧ ବିଶ୍ବାସ ଓ ଆସ୍ଥା ରହିଥାଏ।

ସ୍କୁଲ ପାଠ୍ୟପୁସ୍ତକରୁ ଗୋଟିଏ ପୀଢ଼ି କେବଳ ତଥ୍ୟ ଶିଖେ ନାହିଁ, ବରଂ ବ୍ୟବସ୍ଥା ଓ ସମାଜ ପ୍ରତି ବିଶ୍ବାସ ଏବଂ ଆସ୍ଥା ଗଢ଼ି ଉଠୋ ହେଲେ ଏବେ ସେହି ବିଶ୍ବାସ କ୍ଷୁଣ୍ଣ ହୋଇଛି, କ୍ଷତି କେବଳ ମୁଦ୍ରଣ ତ୍ରୁଟିରେ ସୀମିତ ରହି ନାହିଁ; ଏହା ଆମ ପିଲାମାନଙ୍କ ଭବିଷ୍ୟତର ମୂଳଦୁଆ ଉପରେ ଆଘାତ ଦେଇଛି।ସ୍କୁଲ ପାଠ୍ୟପୁସ୍ତକ ପ୍ରତି ଓଡ଼ିଶାର ବିଜେପି ସରକାର କରିଥିବା ଚରମ ଅବହେଳା ଏହି ପବିତ୍ର ବିଶ୍ବାସକୁ ଭାଙ୍ଗି ଦେଇଛି। ଏହାର ଶିକାର ହୋଇଛନ୍ତି ଆମର ଲକ୍ଷ ଲକ୍ଷ ନିରୀହ ଛାତ୍ରଛାତ୍ରୀ; ଯେଉଁମାନେ ହେଉଛନ୍ତି ଓଡ଼ିଶାର ଭବିଷ୍ୟତ, ଆଗାମୀ କାଲିର ବାର୍ତ୍ତାବହା।ଭୁଲରେ ଭରା ପାଠ୍ୟପୁସ୍ତକ ଛାପିବା ଏବଂ ପରେ ସେଗୁଡ଼ିକୁ ପ୍ରତ୍ୟାହାର କରିବା ପ୍ରସଙ୍ଗରେ ବାରମ୍ବାର ନିଷ୍ପତ୍ତି ବଦଳାଇ, ପିଲାମାନଙ୍କ ଆସ୍ଥା ଓ ବିଶ୍ବାସର ମୂଳଦୁଆକୁ ଦୁର୍ବଳ କରାଯାଉଛି ।ସରକାର ହୁଏତ ପରବର୍ତ୍ତୀ ସଂସ୍କରଣରେ ପାଠ୍ୟପୁସ୍ତକର ତ୍ରୁଟି ସୁଧାରିପାରନ୍ତି କିନ୍ତୁ ଆମ ଓଡ଼ିଆ ପିଲାମାନଙ୍କର ଏକ ସମ୍ପୂର୍ଣ ପୀଢିର ବିଶ୍ବାସକୁ ଭାଙ୍ଗିଦେବାକୁ ହୋଇଥିବା ଉଦ୍ୟମ ପାଇଁ ଉତ୍ତରଦାୟୀ କିଏ ହେବ? କୋମଳମତି ପିଲାମାନଙ୍କ ଆସ୍ଥା ଉପରେ ଯେଉଁ ଆଘାତ ହୋଇଛି, ତା’କୁ କ’ଣ କୌଣସି ସଂଶୋଧନ କେବେ ଭରିପାରିବ?










