ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଅଗଣନୀୟ ତ୍ରୁଟିକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ସୋସିଆଲ ମିଡିଆରେ ସରକାର ନାହିଁ ନଥିବାର ଟ୍ରୋଲ ହେଉଥିବା ବେଳେ ଗଣମାଧ୍ୟମ ବି ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛି । ଏହାରି ଭିତରେ ରାଜ୍ୟର ବିରୋଧୀ ଦଳ ବିଜେଡି ଆଜି ରାଜରାସ୍ତାକୁ ଓହ୍ଲାଇଛି । ବିଜେଡି ତରଫରୁ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବାସଭବନ ଘେରାଉ କରାଯାଇଛି । ଦଳ ତରଫରୁ କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଗଣଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନ ସାମ୍ନାରେ ବିକ୍ଷୋଭ କରାଯାଇଛି । ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳର ଶତାଧିକ କର୍ମୀ ଓ ନେତା ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି । ଗଣଶିକ୍ଷା ବିଭାଗ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ଖେଳୁଛି । ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରି ଘରୋଇ ଶିକ୍ଷାନୁଷ୍ଠାନ ସ୍ୱାର୍ଥରେ ବିଜେପି ସରକାର କାମ କରୁଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ । ଏହାସହ ଏହି ତ୍ରୁଟି ପାଇଁ ସେ ସିଧାସଳଖ ଗଣଶିକ୍ଷାମନ୍ତ୍ରୀ ନିିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟୀ କରି ତାଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି ।










