ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତ୍ରିଦିବସୀୟ ସେସେଲ୍ସ ଗସ୍ତ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ସେସେଲ୍ସ ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି, ଏକ ନିରାପଦ ଓ ସମୃଦ୍ଧ ଭାରତ ମହାସାଗର କ୍ଷେତ୍ର ପାଇଁ ସହଭାଗୀ ଦୃଷ୍ଟିକୋଣକୁ ଆଗକୁ ବଢାଇବା ଉପରେ ବିସ୍ତୃତ ଆଲୋଚନା କରିବା ପରେ ତିନି ଦିନିଆ ଗସ୍ତ ଶେଷ କରିଛନ୍ତି।ଭାରତ ଓ ସେସେଲ୍ସ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଡିଜିଟାଲ ପେମେଣ୍ଟ, ମହାକାଶ, ସ୍ୱାସ୍ଥ୍ୟସେବା, କୃଷି ଓ ଶିକ୍ଷା କ୍ଷେତ୍ରରେ ୧୯ଟି ଚୁକ୍ତି କରିଥିଲେ। ମୋଦୀ ଏହି ଗସ୍ତରେ ସେସେଲ୍ସର ଜାତୀୟ ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଗତକାଲି ସେସେଲ୍ସର ଜାତୀୟ ଦିବସ ପାଳନ ଅବସରରେ ଆସାମ ରେଜିମେଣ୍ଟ ଓ ଭାରତୀୟ ନୌସେନାର ଦଳ ଅଂଶଗ୍ରହଣ କରିଥିଲେ। ମୋଦୀ ସେସେଲ୍ସର ସଂସଦକୁ ସମ୍ବୋଧିତ କରିଥିଲେ। ମୋଦୀଙ୍କୁ ସେସେଲ୍ସର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ‘ଗାର୍ଡିଆନ୍ ଅଫ ଦ ବ୍ଲୁ ହରାଇଜନ’ ପ୍ରଦାନ କରାଯାଇଥିଲା। ମୋଦୀଙ୍କୁ ବିମାନବନ୍ଦରରେ ସେସେଲ୍ସ ଉପରାଷ୍ଟ୍ରପତି ସେବାଷ୍ଟିଆନ୍ ପିଲ୍ଲେ ଓ ଭାରତୀୟ ସମୁଦାୟ ପକ୍ଷରୁ ବିଦାୟ ଦିଆଯାଇଥିଲା।










