ଦଳୀୟ ମନୋଭାବ ରଖି ବାଚସ୍ପତି ଏପରି ନିଷ୍ପତ୍ତି ନେଇ ନିଜ ପଦମର୍ଯ୍ୟାଦା କ୍ଷୁଣ୍ଣ କରିଛନ୍ତି
ବିଧାୟକମାନେ ବିଜେପିକୁ ଭୋଟ୍ ଦେଇଥିବାରୁ ସଭ୍ୟପଦ ରଦ୍ଦ ଆବେଦନ ଖାରଜ ହୋଇଛି
ବାଚସ୍ପତିଙ୍କ ନିଷ୍ପତ୍ତି ସମ୍ବିଧାନର ୧୦ମ ଅନୁଚ୍ଛେଦର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ବାଚସ୍ପତି ନିଜ ପଦବୀର ଗାରିମା କ୍ଷୁଣ୍ଣ କରିବା ସହ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଏହା ୫୨ତମ ସମ୍ବିଧାନ ସଂଶୋଧନ ଓ ସମ୍ବିଧାନର ୧୦ମ ପରିଚ୍ଛେଦର ସମ୍ପୂର୍ଣ୍ଣ ପରିପନ୍ଥୀ ବୋଲି କହିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ କହିଥିଲେ ଯେ, ବାଚସ୍ପତି ଦଳୀୟ ମନୋଭାବ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ନିଲମ୍ବିତ ବିଧାୟକମାନେ ବିଜେପିକୁ ଭୋଟ୍ ଦେଇଥିବାରୁ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରିଛନ୍ତି ବାଚସ୍ପତି । ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ତାଙ୍କ ଦଳୀୟ ନେତାଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଭିନ୍ନ ଆଳ ଦେଖାଇ ବାଚସ୍ପତି ବିଜୁ ଜନତା ଦଳର ଆବେଦନକୁ ଖାରଜ କରିଛନ୍ତି । ଗୋଟିଏ ଦଳର ଟିକେଟରେ ନିର୍ବାଚିତ ହୋଇ ଅନ୍ୟ ଦଳକୁ ଭୋଟ୍ ଦେବା ଦଳବିରୋଧୀ କାର୍ଯ୍ୟ । ଏମିତି ଏକ ଘଟଣାରେ ସିମ୍ଲା ବିଧାନସଭାରେ ଯେଉଁ ଆଧାରରେ ବିଧାୟକ ମାନଙ୍କୁ ନିଲମ୍ବିତ କରାଯାଇଥିଲା, ସେହି ଆଧାରରେ ଏଠାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । ଅଲଗା ଅଲଗା କାରଣ ଦର୍ଶାଇ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପରିବର୍ତ୍ତେ ତାଙ୍କ ସପକ୍ଷରେ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ । ଆମେ ଆଶା କରୁଛୁ ମାନ୍ୟବର ବାଚସ୍ପତି ଆମ ସହ ଆଲୋଚନା କରି ତାଙ୍କ ନିଷ୍ପତ୍ତିକୁ ପରିବର୍ତ୍ତନ କରିବେ ।
ଡ଼ ଅରୁଣ ସାହୁ କହିଥିଲେ ଯେ, ସଂସଦୀୟ ଗଣତନ୍ତ୍ରରେ ରାଜନୈତିକ ଉତ୍ତରଦାୟିତ୍ୱ ଓ ଜନମତକୁ ସମ୍ମାନ ସର୍ବାଗ୍ରେ । ବିଜେପି ସରକାର ସମୟରେ ଏହାର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବାର ଜରୁରୀ ଆବଶ୍ୟକତା ଅଛି । ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳର ୮ ଜଣ ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ବିଜେପି ଦଳକୁ ଭୋଟ୍ ଦେଇଥିଲେ । ୫୨ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ବିଜୁ ଜନତା ଦଳ ଉଠାଇଥିବା ପ୍ରଶ୍ନର ସଠିକ ନିର୍ଣ୍ଣୟ ନେଇନାହାନ୍ତି ବାଚସ୍ପତି । ସମ୍ବିଧାନର ୧୦ମ ପରିଚ୍ଛେଦ ଅନୁଯାୟୀ ଜଣେ ବିଧାୟକ ଯେଉଁ ଦଳରୁ ନିର୍ବାଚିତ ହୋଇଥାଏ, ସେହି ଦଳର ନିଷ୍ପତ୍ତି ବିରୋଧରେ ଆଚରଣ ଓ ଉଚ୍ଚାରଣ କରିବା ଦଳର ସଦସ୍ୟତା ପରିତ୍ୟାଗ କରିବା ସହ ସମାନ । ସଦସ୍ୟଙ୍କ କାର୍ଯ୍ୟକଳାପ, ସାର୍ବଜନୀନ ବକ୍ତବ୍ୟ ଓ ଦଳ ବିରୋଧୀ କାର୍ଯ୍ୟ ମାଧ୍ୟମରେ ଏହା ପ୍ରମାଣିତ । ବିଜେଡି ଆବେଦନର ମୂଳ ପ୍ରଶ୍ନ ଥିଲା, ଏହି ୮ ଜଣ ବିଧାୟକ ନିଜ ଆଚରଣ ଦ୍ୱାରା ଦଳର ସଦସ୍ୟତା ସ୍ୱଇଚ୍ଛାରେ ପରିତ୍ୟାଗ କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ, କେବଳ ଔପଚାରିକ ଭାବରେ ଦଳ ଛାଡ଼ିବା ନୁହେଁ, ଦଳବିରୋଧୀ ଆଚରଣ ମଧ୍ୟ ସଦସ୍ୟତା ପରିତ୍ୟାଗ ଭାବେ ବିବେଚନା କରାଯିବ । କିନ୍ତୁ ମାନ୍ୟବର ବାଚସ୍ପତି ଏହାକୁ ଅଣଦେଖା କରି ମୂଳ ପ୍ରଶ୍ନର ନିଷ୍ପତ୍ତି ନ ନେଇ ପ୍ରକି୍ରୟାଗତ ତ୍ରୁଟି କମା, ଫୁଲ୍ଷ୍ଟପ ଭଳି ଛୋଟ ଛୋଟ ବିଷୟ ଉପରେ ଗୁରୁତ୍ୱ ଦେଇଛନ୍ତି । ଆମେ ଦୃଢ଼ ଆଶାବାଦୀ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏବଂ ଆବଶ୍ୟକ ହେଲେ ସର୍ବୋଚ୍ଚ ନ୍ୟାୟାଳୟ ସମ୍ବିଧାନର ମର୍ଯ୍ୟାଦା, ଜନମତର ପବିତ୍ରତା ଓ ଦଳବିରୋଧୀ ଆଇନର ଉଦେ୍ଦଶ୍ୟକୁ ସୁରକ୍ଷିତ ରଖିବେ । ପରିଶେଷରେ ସମ୍ବିଧାନ ଓ ଆଇନର ବିଜୟ ହେବ ।










