ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକ ବିଦ୍ୟୁତ ବିଭ୍ରାଟ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ପାଇଁ ଡିଜି ସେଟ୍ ଏବଂ ପରିବହନ ପାଇଁ ପେଟ୍ରୋଲ/ଡିଜେଲ ଉପରେ ନିର୍ଭର କରିଥାନ୍ତି । ଉପଯୁକ୍ତ ସମୟରେ ପେଟ୍ରୋଲ କିମ୍ବା ଡିଜେଲ ଅଭାବରୁ ଚିକିତ୍ସା ସେବା ଏବଂ ରୋଗୀସେବାରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ ଏବଂ ମାନବ ଜୀବନ ହାନି ମଧ୍ୟ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି, ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଶ୍ରୀ ଅମ୍ରିତ ଋତୁରାଜ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ର ଧାରା ୩୪(ଇ) ଅନୁଯାୟୀ ଜିଲ୍ଲାର ସମସ୍ତ ତୈଳ ବିପଣନ କମ୍ପାନୀ, ଖୁଚୁରା ବିକ୍ରେତା ଏବଂ ଡିଲରମାନଙ୍କୁ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଇନ୍ଧନ (ଡିଜେଲ/ପେଟ୍ରୋଲ) ଯୋଗାଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ହସ୍ପିଟାଲ, ପଞ୍ଜିକୃତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ, ଅଗ୍ନିଶମ ସେବା, ଆମ୍ବୁଲାନ୍ସ, ଶିକ୍ଷାନୁଷ୍ଠାନ ଛାତ୍ରାବାସ ପରି ସଂସ୍ଥାକୁ ଇନ୍ଧନ ଦେବା ପାଇଁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ଏହି ତୈଳ ଯୋଗାଣକାରୀ ସଂସ୍ଥା ଉପରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିର୍ଦ୍ଦେଶର ଅବମାନନା କଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ । ଏପରି ବାଧା ସୃଷ୍ଟି ଦ୍ୱାରା ଜୀବନ ହାନି କିମ୍ବା ଆକସ୍ମିକ ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ, ତେବେ ଖିଲାପକାରୀଙ୍କ ବିରୁଦ୍ଧରେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ପ୍ରାବଧାନ ରହିଛି । ଏହି ଆଇନର କଠୋର ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।










