ନୂଆଦିଲ୍ଲୀ : ପାକିସ୍ତାନ ବାୟୁସେନା ପ୍ରଶିକ୍ଷଣ ବିମାନ ସୋମବାର ଖାଇବର-ପଖତୁନଖ୍ବା ପ୍ରଦେଶର ମର୍ଦାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ଉଭୟ ପାଇଲଟଙ୍କର ମୃତ୍ୟୁ ହୋଇଥିବା ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ନିୟମିତ ରୁଟିନ୍ ଉଡ଼ାଣବେଳେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେନା ମୃତକଙ୍କୁ ପାକିସ୍ତାନ ବାୟୁସେନାର ଫ୍ଲାଇଟ୍ ଲେଫ୍ଟନାଣ୍ଟ ମହମ୍ମଦ କାସିମ୍ ଅବଦୁଲ୍ଲା ଓ ପାକିସ୍ତାନ ନୌସେନାର ଲେଫ୍ଟନାଣ୍ଟ ତାହା ଆବାସି ଭାବରେ ଚିହ୍ନଟ କରିଛି।
ଦୁର୍ଘଟଣାର କାରଣ ଜାଣିବା ପାଇଁ ବାୟୁସେନା ମୁଖ୍ୟାଳୟ ଦ୍ୱାରା ଏକ ତଦନ୍ତ ବୋର୍ଡ ଗଠନ କରାଯାଇଛି ବୋଲି ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସ ପବ୍ଲିକ ରିଲେସନ୍ ପକ୍ଷରୁ କୁହାଯାଇଛି। ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁକୁ ନେଇ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲି ଜର୍ଦାରୀ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିର ଶୋକ ପ୍ରକାଶ କରିଛନ୍ତି।










