ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏକ ରହସ୍ୟମୟ ଘଟଣା । ବୈଶିଙ୍ଗା ଥାନା ଅନ୍ତର୍ଗତ ରାଇକମା ଗାଁ ନିକଟସ୍ଥ ଜଙ୍ଗଲ ଭିତରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତଦେହର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାବେଳେ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଚର୍ଚ୍ଚା ଦେଖାଦେଇଛି । ସ୍ଥାନୀୟ ଲୋକେ ଜଙ୍ଗଲ ଅଞ୍ଚଳରୁ ଦୁର୍ଗନ୍ଧ ଆସୁଥିବା ଅନୁଭବ କରି ସେଠାକୁ ଯାଇଥିଲେ । ସେଠାରେ ଜଣେ ମହିଳାଙ୍କ ଗଳିତ ମୃତଦେହ ପଡ଼ିଥିବା ଦେଖି ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ସୂଚନା ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମହିଳାଙ୍କ ମୃତ୍ୟୁ ପ୍ରାୟ ୩ରୁ ୪ ଦିନ ପୂର୍ବରୁ ହୋଇଥାଇପାରେ । ମୃତଦେହର ଅବସ୍ଥା ଦେଖି କେହି ଦୁର୍ବୃତ୍ତ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।ତେବେ ଏହା ହତ୍ୟା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି, ତାହା ପୋଷ୍ଟମର୍ଟମ ରିପୋର୍ଟ ପରେ ସ୍ପଷ୍ଟ ହେବ । ସବୁଠୁ ବଡ଼ କଥା ହେଲା, ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ପୁଲିସ ନିଖୋଜ ମହିଳାଙ୍କ ତାଲିକା ଯାଞ୍ଚ କରିବା ସହ ଆଖପାଖ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଛି ।










