ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ମୌସୁମୀଜନିତ ବର୍ଷା ପ୍ରକୋପ ଜାରି ରହିଛି। କେଙ୍ଗ୍ରି ଓ ହ୍ବାଇଟଫିଲ୍ଡ ଟ୍ରାଫିକ ପୁଲିସ ସୀମା ଅଞ୍ଚଳରେ ଶନିବାର ସକାଳେ ବର୍ଷାଜନିତ ଦୁଇଟି ପୃଥକ୍ ଦୁର୍ଘଟଣାରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ତିନିଜଣ ଆହତ ହୋଇଛନ୍ତି। ହ୍ୱାଇଟ୍ଫିଲ୍ଡରେ ଏକ ହୃଦୟବିଦାରକ ଘଟଣାରେ, ଜଣେ ମହିଳାଙ୍କ ପରେ ତାଙ୍କ ଝିଅ ସାମ୍ନାରେ ଏକ ସ୍କୁଲ ବସ୍ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଶନିବାର ସକାଳେ ମହିଳା ଜଣକ ତାଙ୍କ ଦୁଇ ଚକିଆ ଗାଡ଼ିରୁ ପଡ଼ି ଯାଇଥିବାବେଳେ ସ୍କୁଲ ବସ୍ ତାଙ୍କ ଉପରେ ମାଡ଼ି ଯାଇଥିଲା। ମୃତ ମହିଳା ଜଣକ କାନ୍ତା ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, କାନ୍ତା ଦୁଇ ଚକିଆ ଗାଡ଼ିରେ ମରାଠାହାଲ୍ଲୀରୁ ସିଦ୍ଧପୁରାକୁ ତାଙ୍କ ଝିଅ ନେହାଙ୍କୁ କଲେଜରେ ଛାଡ଼ିବାକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ଶୁକ୍ରବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ପାଣିରେ ବୁଡ଼ି ଯାଇଥିଲା। ରାସ୍ତାରେ ଯାଉଥିବା ସମୟରେ କାନ୍ତାଙ୍କ ସ୍କୁଟରଟି ରାସ୍ତାରେ ଥିବା ଖାଲୁଆ ସ୍ଥାନରେ ପଡ଼ି ଯାଇଥିବାବେଳେ ଭାରସାମ୍ୟ ହରାଇ ଉଭୟ ମା’ ଓ ଝିଅ ରାସ୍ତାରେ ପଡ଼ିଯାଇଥିଲେ। କାନ୍ତା ରାସ୍ତାରୁ ଉଠିବା ପୂର୍ବରୁ ପଛରୁ ଆସୁଥିବା ଏକ ସ୍କୁଲ ବସ୍ ତାଙ୍କ ଉପରେ ମାଡ଼ି ଯାଇଥିଲା। ସ୍ଥାନୀୟ ଳୋକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ଗୁରୁତର ଆଘାତ ଯୋଗୁଁ କାନ୍ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ନେହା ସାମାନ୍ୟ ଆହତ ହୋଇଥିଲେ। ଅନ୍ୟ ଏକ ଘଟଣାରେ କେଙ୍ଗ୍ରିରେ ଦ୍ରୁତ ଗତିରେ ଆସୁଥିବା କାର୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ତିନିଜଣ ବାଇକ ଚାଳକ ଗୁରୁତର ହୋଇଛନ୍ତି। କେଙ୍ଗ୍ରି ଟ୍ରାଫିକ୍ ପୁଲିସ କହିଛି ଯେ, ଏକ ଦ୍ରୁତଗାମୀ ମାରୁତି ସୁଜୁକି ଇକୋ କାର ଦ୍ରୁତଗତିରେ ଆସୁଥିବା ସମୟରେ ଦୁଇଟି ମୋଟରସାଇକେଲକୁ ଧକ୍କା ଦେଇଥିଲା। ଦ୍ରୁତ ଗତି ଯୋଗୁଁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ଓ କାର୍ଟି ଓଲଟି ପଡ଼ିଥିଲା। କାର୍ରେ ବସିଥିବା ସୁଖଦେବ (୪୫) ଦୁର୍ଘଟଣାପରେ ଗାଡ଼ିରୁ ବାହାରକୁ ଆସି ଯାଇଥିଲେ ମଧ୍ୟ କାର୍ଟି ଓଲଟି ତାଙ୍କ ଉପରେ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଦୁଇଟି ମୋଟର ସାଇକେଲରେ ଯାଉଥିବା ତିନି ଜଣ ଲୋକ ଆହତ ହୋଇଥିଲେ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଙ୍ଗ୍ରି ଟ୍ରାଫିକ୍ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଅନ୍ୟ ଏକ ଘଟଣାରେ ହୋସକୋଟ ତାଲୁକର ସୁଲିବେଲେ ହୋବଲିର ବାଲେନାହାଲ୍ଲିରେ ପ୍ରବଳ ବର୍ଷା ଯୋଗୁଁ ଏକ ବିଶାଳ ୪୦୦ ବର୍ଷ ପୁରୁଣା ବରଗଛ ଉପୁଡ଼ି ପଡ଼ିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।










