37.4 C
Bhubaneswar
Saturday, June 13, 2026
Homeଓଡିଶାରିପୋର୍ଟ ଚୋରି: ସନ୍ଦେହ ସୃଷ୍ଟି କରୁଛି ନବୀନଙ୍କ ନୀରବତା

ରିପୋର୍ଟ ଚୋରି: ସନ୍ଦେହ ସୃଷ୍ଟି କରୁଛି ନବୀନଙ୍କ ନୀରବତା

ଭୁବନେଶ୍ୱର: ତଦନ୍ତ ରିପୋର୍ଟ ଚୋରି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନୀରବତା ସନ୍ଦେହ ଅଧିକ ବଢ଼ାଉଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧିନରେ ଥିବା ଗୃହ ବିଭାଗ ଥାନାରେ ଏତଲା ଦେଇ ସାରିଲେଣି। ଏହା ପରେ ବି ନବୀନ ପାଟି ଖୋଲୁ ନାହାଁନ୍ତି। ଏହି ଘଟଣା ପଛରେ ପ୍ରକୃତରେ ନବୀନଙ୍କ ହାତ ଥିବା କଥା ଏବେ ବିଜେପି ନେତାମାନେ କୁହାକୁହି ହେଉଛନ୍ତି। କାହାକୁ ସୁରକ୍ଷା ଦେବା ପାଇଁ ସେ ଏତେବଡ଼ କାଣ୍ଡ କଲେ ତାହା ହେଉଛି ସବୁଠାରୁ ବଡ଼ପ୍ରଶ୍ନ। ହେଲେ ରାଜନୈତିକ ମହଲରେ ଏହି ଘଟଣାରେ ଯେଉଁ ଆଲୋଚନା ହେଉଛି ସେଥିରେ ସରକାରଙ୍କ ଆନ୍ତରିକତା ପ୍ରତି ମଧ୍ୟ ପ୍ରଶ୍ନ ଉଠାଯାଇଛି। ବୋଧହୁଏ ନବୀନ ଜାଣିଛନ୍ତି ତାଙ୍କୁ ବଦନାମ କରିବା ପାଇଁ ଦୁଇବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ବାହାବାହା ନେବା ପାଇଁ ମୁଖ୍ୟମନ୍ତ୍ରୀ ଏପରି କରିଛନ୍ତି। ଏଥିରେ ତାଙ୍କର କିଛି ହେବାର ନାହିଁ। ସେଥିପାଇଁ ସେ ଗୁରୁତ୍ୱ ଦେଉ ନଥିବା କଥା କୁହାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ତଦନ୍ତ ରିପୋର୍ଟ ଚୋରି ହେବା ଘଟଣା ଅତ୍ୟନ୍ତ ସାଂଘାତିକ। ପୂର୍ବରୁ ବିଭିନ୍ନ ବିଭାଗରୁ ଫାଇଲ୍ ହଜିବା ନେଇ ଥାନାରେ ଏତଲା ହେବା ଘଟଣା ଶୁଣାଯାଉଥିଲା। ଏବେ ସିଧାସଳଖ ମୁଖ୍ୟମନ୍ତ୍ରୀ ଦତ୍ପରରୁ ତଦନ୍ତ ରିପୋର୍ଟ ଗାଏବ ହେବା ଘଟଣା ଅତ୍ୟନ୍ତ ଚିନ୍ତାଜନକ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଫାଇଲ୍ ମିଳୁନି। ଏଥିନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିଲାବେଳେ ନବୀନ ପଟ୍ଟନାୟକ ତଦନ୍ତ ରିପୋର୍ଟ ମାଗିବାର ତାତ୍ପର୍ଯ୍ୟ କ’ଣ ଥିଲା। ତାହାକୁ ସେ ନ ଫେରାଇ କାହିଁକି ଗାଏବ କଲେ। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଯିଏକି ଏକଦା ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଥିଲେ ଏବଂ ଖାସ୍ ଅଫିସର୍ ଭାବେ ବେଶ୍ ଜଣାଶୁଣା ଥିଲେ। ସେ ଏବେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ରଖିଛନ୍ତି। ସେ କହିଛନ୍ତି ଯେଉଁ ରିପୋର୍ଟ ଆସେ ଗୃହ ବିଭାଗ ତାହାର ଏକ ନକଲ କରିଥାଏ। ଏଣୁ ଗୋଟିଏ ସେଟ୍ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଗଲାବେଳେ ତାହାର କପି ଗୃହ ବିଭାଗ ପାଖରେ ଥିବ। ତେବେ ସେହି କପି ଗୃହ ବିଭାଗ ପାଖରେ ଅଛିକି ନାହିଁ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ। ପ୍ରକୃତରେ ଯଦି ଗୃହ ବିଭାଗ ପାଖରେ କପି ଥିବ ତେବେ ନବୀନ ଫାଇଲ୍ ନେବାରେ କିଛି ଫାଇଦା ନାହିଁ। ସରକାର ଚାହିଁଲେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଏହି ପଦକ୍ଷେପ ନେଇ ସରକାର ନବୀନଙ୍କ ଉଦ୍ଦେଶ୍ୟକୁ ଫସର ଫଟାଇ ପାରିଥାଆନ୍ତେ। କିନ୍ତୁ ସେପରି କରାନଯାଇ ସରକାର ଥାନାକୁ କାହିଁକି ଗଲେ? ପ୍ରକୃତରେ ଯଦି ଗୃହ ବିଭାଗ ପାଖରେ ତଦନ୍ତ ରିପୋର୍ଟର ନକଲ ନାହିଁ ତେବେ ତାହା ଗଲା କୁଆଡ଼େ? ସେ ହେଉଛି ଆଉ ଏକ ବଡ଼ ଧରଣର ଚାଞ୍ଚଲ୍ୟ। ନବୀନଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବଦନାମ କରିବା ହୁଏତ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥାଇପାରେ। ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ ବିଭାଗରେ ଉକ୍ତ ରିପୋର୍ଟର ନକଲ ଅଛି କି ନାହିଁ ତାହା ପ୍ରକାଶ କରିବା ଦରକାର।

ନବୀନଙ୍କ ପାଖରେ ଥିବା ସେତେବେଳର ଅଧିକାରୀମାନେ ନିଶ୍ଚୟ କାଠଗଡ଼ାକୁ ଟଣାହେବେ। ବାସ୍ତବରେ ସରକାର ଯଦି ଉକ୍ତ ରିପୋର୍ଟ ପାଇଁ ଆନ୍ତରିକତା ପ୍ରଦର୍ଶନ କରୁଥିବେ ତେବେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟମ କରିବେ। କେବଳ ନବୀନଙ୍କୁ ସାଧାରଣରେ ନିନ୍ଦିତ କରିବା ପାଇଁ ଏହି ପଦକ୍ଷେପ ନେଇଥିଲେ ପୋଲିସ ତଦନ୍ତ କେବଳ ତଦନ୍ତରେ ହିଁ ରହିଯିବ। ଏଥିରୁ ସରକାରଙ୍କ ଉଦ୍ଦେଶ୍ୟ ଧରାପଡ଼ିଯିବ। ଗୃହ ବିଭାଗରେ ରିପୋର୍ଟ ଥିବା କଥା ବିଜେଡି ପକ୍ଷରୁ କିଛି କୁହାଯାଉନାହିଁ। ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତନାର କଂଗ୍ରେସର ନେତା ଯେଉଁ ତଥ୍ୟ ରଖିଛନ୍ତି ତାହା ଉପରେ ବି ନବୀନ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking