ଭୁବନେଶ୍ୱର: ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ପବିତ୍ର ଜନ୍ମାଷ୍ଟମୀ ଦିନ କନ୍ଧମାଳରେ ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ କାର୍ଯ୍ୟ କରୁଥିôବା ଓ ସମ୍ପୂର୍ଣ୍ଣ ଓଡ଼ିଶାରେ ନିଜ ସେବା କାରଣରୁ ଅତ୍ୟନ୍ତ ଲୋକପ୍ରିୟ ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା । ବିଭିନ୍ନ ସମୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଉପରେ ପୂର୍ବରୁ ମରଣାନ୍ତକ ଆକ୍ରମଣ କରାଯିବା ସତ୍ୱେ ତାଙ୍କ ସୁରକ୍ଷା ପ୍ରତି ଗୁରତ୍ୱ ଦିଆଯାଇ ନ ଥିଲା । ଏହି ହତ୍ୟାକାଣ୍ଡ ସମୟରେ ମଧ୍ୟ ତତ୍କାଳୀନ ପୋଲିସ ପ୍ରଶାସନ ତରଫରୁ ତାଙ୍କୁ ଯେଉଁଭଳି ସୁରକ୍ଷା ଦିଆଯିବା କଥା ତାହା ଦିଆଯାଇ ନ ଥିଲା । ଏପରିକି ଯେଉଁ ଦିନ ସ୍ୱାମୀଜୀଙ୍କ ହତ୍ୟା କରାଯାଇଥିଲା ସେଦିନ ତାଙ୍କୁ ଦିଆଯାଇଥିବା ସୁରକ୍ଷା ହଟାଇ ଦିଆଯାଇଥିଲା । ଏଭଳି ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ପରେ ତତ୍କାଳୀନ ସରକାରଙ୍କ ତରଫରୁ ଜଷ୍ଟିସ ଶରତ ମହାପାତ୍ରଙ୍କ କମିଶନ ବସିଥିଲା । ଜଷ୍ଟିସ ମହାପାତ୍ର ଏହି କମିଶନର ପଚିଚାଳନା କରୁଥିବା ବେଳେ ପୂର୍ଣ୍ଣାଙ୍ଗ ହେବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିଲା । ଏହାପରେ ଜଷ୍ଟିସ୍ ଏ.ଏସ୍.ନାଇଡୁ ଏହି କମିଶନର ଦାୟିତ୍ୱ ନେଇ ଏହାର ତଦନ୍ତ ଆଗକୁ ବଢ଼ାଇଥିଲେ । ପାଖାପାଖି ୮ବର୍ଷ ଅକ୍ଳାନ୍ତ ପରିଶ୍ରମ କରିବା ପରେ ୨୦୧୬ ସେପେମ୍ବର ୧୬ରେ ଏହି କମିଶନ ତତ୍କାଳୀନ ରାଜ୍ୟ ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ । ଏହାପରେ ଭାରତୀୟ ଜନତା ପାର୍ଟି ତରଫରୁ ବିଧାନସଭା ଭିତରେ ଓ ବାହାରେ ଏହି ରିପୋର୍ଟ ସାର୍ବଜନୀନ କରିବା ପାଇଁ ଦାବି କରାଯାଇଥିଲା । କିନ୍ତୁ ତତ୍କାଳୀନ ସରକାର ଏହି ଘଟଣାକୁ ଯେଉଁ ପ୍ରକାର ଗୁରୁତ୍ୱ ଦେବା କଥା ତାହା ଦେଇ ନ ଥିଲା । ୨୦୨୪ରେ ବିଜେପି ସରକାରକୁ ଆସୁଥିବା ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ମଧ୍ୟ ଚୋରି କରି ଦିଆଯାଇଥିଲା । ଏହା ପଛରେ କି ପ୍ରକାର ଷଡ଼ଯନ୍ତ୍ର ଥିଲା ତାହାର ଉତର ବିଜେଡି ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଅନ୍ତୁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ୨୦୧୬ରୁ କମିଶନ ପକ୍ଷରୁ ତଦନ୍ତ ରିପୋର୍ଟ ଦିଆଯାଇଥିଲେ ମଧ୍ୟ ବିଜେଡି ସରକାରରେ ଥିôବା ସତ୍ୱେ ୨୦୨୪ ପର୍ଯ୍ୟନ୍ତ ତାହାକୁ ସାର୍ବଜନୀନ କରି ନ ଥିଲା । ନିର୍ବାଚନ ପୂର୍ବରୁ ଏହି କମିଶନକୁ ସାର୍ବଜନୀନ କରିବା ପାଇଁ ବିଜେପି ମଧ୍ୟ ବାରମ୍ବାର ଚାପ ପକାଇଥିଲା । ୨୦୨୪ ଜୁନ୍ରେ ବିଜେପି କ୍ଷମତାକୁ ଆସିବା ପରେ ଏହି ଫାଇଲକୁ ସାର୍ବଜନୀନ କରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲା । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଉକ୍ତ ଫାଇଲ ଖୋଜିଲା ପରେ ମଧ୍ୟ ତାହା ମିଳି ନ ଥିଲା । ଏନେଇ ବିଜେପି ସରକାର ତରଫରୁ ବିଭିନ୍ନ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧୀ ଦଳର ନେତା ନବୀନଙ୍କ ପାଖକୁ ଚିଠି ମଧ୍ୟ ପ୍ରେରଣ କରାଯାଇ ଫାଇଲ ସମ୍ପର୍କରେ ପଚରାଯାଇଥିଲା । ମାତ୍ର ନବୀନଙ୍କ ତରଫରୁ କୌଣସି ଉତର ମିଳି ନଥିଲା ।
ବିଜେପି ସରକାରଙ୍କ ତରଫରୁ ଫାଇଲ ଖୋଜାଗଲା ପରେ ଜଣାପଡ଼ିଲା ଯେ,୨୦୧୬ ସେପ୍ଟେମ୍ବର ୧୬ରେ ଏହି ଫାଇଲ କମିଶନଙ୍କ ପକ୍ଷରୁ ତତ୍କାଳୀନ ସରକାରଙ୍କୁ ପଠାଯାଇଥିଲା । ୨୦୧୬ ସେପ୍ଟେମ୍ବର ୧୯ରେ ମୁଖ୍ୟ ଶାସନ ସଚିବ, ତଦନ୍ତ ଫାଇଲ ନବୀନଙ୍କ ଦପ୍ତରକୁ ନିଷ୍ପତି ନେବା ପାଇଁ ପଠାଇଥିଲେ । ମାତ୍ର ସେତେବେଳେ କୌଣସି ନିଷ୍ପତି ନିଆଗଲାନାହିଁ । ୨୦୨୪ ଜୁନ୍ ୪ରେ ଭୋଟ ଗଣତି ବେଳେ ଯେତେବେଳେ ବିଜେପି ଆଗୁଆ ରହିଲା ଓ ବିଜେଡି ସରକାର ଶାସନରୁ ହଟୁଥିବା ଜାଣିପାରିଲା ସେତେବେଳେ ଫାଇଲକୁ ଚୋରି କରିଦିଆଗଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ସେତେବେଳେ ଗୃହ ବିଭାଗକୁ ସମସ୍ତ ଫାଇଲକୁ ପଠାଇ ଦିଆଯାଇଥିଲା । ମାତ୍ର ୨ଟି ଫାଇଲ ଆସି ନଥିଲା । ସେଗୁଡିକ ହେଲା ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ଓ ଏହାର ପରବର୍ତୀ ହିଂସାକାଣ୍ଡ ସମ୍ପର୍କିତ ରିପୋର୍ଟ ଏବଂ ଅନ୍ୟଟି ହେଲା ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ଆର୍ଡିସିସ୍ତରୀୟ ତଦନ୍ତ ରିପୋର୍ଟ । ଜଷ୍ଟିସ ନାଇଡୁ କହିଛନ୍ତି, କମିଶନ ତରଫରୁ ଦେଢ଼ ହଜାରରୁ ଦୁଇ ହଜାର ପୃଷ୍ଠାର ରିପୋର୍ଟ ୨ଟି ଭଲ୍ୟୁମରେ ଦିଆଯାଇଥିଲା । ଓଡ଼ିଶା ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଫାଇଲ ଖୋଜାଗଲା । ମାତ୍ର ନ ମିଳିବାରୁ ୨୦୨୫ ଅକ୍ଟୋବର ୨୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି କରାଯାଇଥିଲା । ଗୃହ ବିଭାଗ ଚିଠି କରିବା ପରେ ମଧ୍ୟ ନବୀନ କୌଣସି ଉତର ଦେଲେନାହିଁ । ୨୦୨୫ ନଭେମ୍ବର ୪ରେ ପୁଣି ଥରେ ନବୀନଙ୍କୁ ଚିଠି ପଠାଯାଇ ଫାଇଲ କେଉଁଠି ଅଛି ବୋଲି ପଚରାଯାଇଥିଲା । ପରବର୍ତୀ ସମୟରେ ୨୦୨୫ ନଭେମ୍ବର ୧୫ରେ ବିରୋଧୀ ଦଳର ନେତା ତଥାତ୍ତତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଘରୋଇ ସଚିବ ଓଡ଼ିଶା ସରକାରଙ୍କୁ ଚିଠି ଲେଖାଇ ଜଣାଇଥିଲେ ଯେ, ନବୀନ ତାଙ୍କୁ ଫାଇଲ ଖୋଜିବା ପାଇଁ କହିଛନ୍ତି । ଏଥିରୁ ଜଣାପଡ଼ିଲା ଏହାପଛରେ ଗଭୀର ଷଡ଼ଯନ୍ତ୍ର ରହିଛି । ପ୍ରଥମେ ଷଡ଼ଯନ୍ତ୍ର କରି ସ୍ୱାମୀଜୀଙ୍କୁ ହତ୍ୟା କରାଗଲା । ପରବର୍ତୀ ସମୟରେ ଧରାପଡ଼ିବା ଭୟରେ ତାଙ୍କ ହତ୍ୟା ତଦନ୍ତର ଫାଇଲକୁ ମଧ୍ୟ ଚୋରି କରିଦିଆଗଲା । ଫାଇଲ ଚୋରି କରିବା ଷଡ଼ଯନ୍ତ୍ର ଯୋଗୁ ବିଜେଡି ଓ ନବୀନ ବାବୁଙ୍କ ଅସଲ ଚେହେରା ପଦାରେ ପଡ଼ିଯାଇଛି । ଏନେଇ ଓଡ଼ିଶାବାସୀ ନବୀନଙ୍କୁ କେବେବି କ୍ଷମା ଦେବେନାହିଁ । କାରଣ ଏହି ଫାଇଲ ଜରିଆରେ ସ୍ୱାମୀଜୀଙ୍କ ହତ୍ୟା ପଛର କାରଣ ଓ ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ତାହା ଜଣାପଡ଼ିଥାନ୍ତା । ଖାଲି ସେତିକି ନୁୂହେଁ କନ୍ଧମାଳ ଓ ଏହାର ଆଖପାଖ ଅଂଚଳରେ ବେଆଇନ୍ ଭାବେ ଯେଉଁ ପ୍ରକାର ଧର୍ମାନ୍ତୀକରଣ କାର୍ଯ୍ୟ ଚାଲିଛି ତାହା ମଧ୍ୟ ଉଜାଗର ହୋଇଯାଇଥାନ୍ତା । ତତ୍କାଳୀନ ସରକାରଙ୍କ ପ୍ରୋତ୍ସାହନରେ ଉକ୍ତ ଅଂଚଳରେ ଧର୍ମାନ୍ତୀକରଣ ଚାଲିଥିବା ନେଇ ସେତେବେଳେ କୁହାଯାଉଥିଲା । ଏହି ଘଟଣାର ପର୍ଦ୍ଦାଫାଶ ହେବା ଭୟରେ ଏହି ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଚୋରି କରିଦିଆଯାଇଛି । ଏହାର ଜବାବ ବିଜେଡି ଦେବା ଆବଶ୍ୟକ । ସରକାରଙ୍କ ତରଫରୁ ଏହି ଘଟଣାରେ ଯେଉଁ ଏଫଆଇଆର୍ ଦିଆଯାଇଛି, ସେହି ଆଧାରରେ ପୋଲିସ ପ୍ରଶାସନ ମଧ୍ୟ ଏହାର ଉପଯୁକ୍ତ ତଦନ୍ତ ଠିକ୍ ଭାବେ କରିବ । ଯଦି କମିଶନ ରିପୋର୍ଟକୁ ଯୋଜନାବଦ୍ଧ ଭାବେ ଚୋରି କରାଯାଇଥିବା ପ୍ରମାଣ ମିଳିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଜିଲ୍ଲା ପ୍ରଭାରୀ ତଥା ବରିଷ୍ଠ ନେତା ଶ୍ରୀ ଗୌତମ ରାୟ ଉପସ୍ଥିତ ଥିଲେ ।










