କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ଘଟିଥିବା ଆତ୍ମହତ୍ୟା ଘଟଣାକୁ ନେଇ ପ୍ରଶାସନ ତତ୍ପର ହୋଇଉଠିଛି । ଘଟଣାର ପ୍ରକୃତ କାରଣ ଏବଂ ଏହା ପଛରେ ଥିବା ସମସ୍ତ ପରିସ୍ଥିତିର ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ଦୁଇ ଜଣ ଅତିରିକ୍ତ ଜିଲ୍ଲାପାଳ ଓ ଜଣେ ଡେପୁଟି କଲେକ୍ଟରଙ୍କୁ ସାମିଲ କରାଯାଇଛି ।କମିଟି ଘଟଣାର ପ୍ରତ୍ୟେକ ଦିଗକୁ ଖତିଆନ କରିବା ସହ ସମ୍ପୃକ୍ତ ବ୍ୟକ୍ତି ଓ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବ। ଘଟଣା ସମ୍ପର୍କରେ ସଠିକ୍ ତଥ୍ୟ ସଂଗ୍ରହ କରିବା ପାଇଁ ପରିବାର ଲୋକଙ୍କ ସହ ଆଲୋଚନା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବାବେଳେ ତଦନ୍ତ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି ।










