ଭୁବନେଶ୍ୱର: ତମାଖୁ ସେବନର ଭୟାବହତା ଓ ଅପକାରିତା ଏବଂ ତମାଖୁ ମୁକ୍ତ ଜୀବନ ସଂପର୍କରେ ସଚେତନତା ବାଂଟିବା ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନସେସ୍ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ବୁଧବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି । ଆଇଡିଏସ୍ରୁ ଏହି ରାଲି ଆରମ୍ଭ ହୋଇ ସମ୍ ହସ୍ପିଟାଲ ଛକ ଓ ଏପିଜେ ଅବଦୁଲ କଲାମ୍ ପାର୍କ ଅତିକ୍ରମ କରି ପୁଣି କଲେଜକୁ ପ୍ରତ୍ୟାବର୍ତନ କରିଥିଲା । ଏହି ରାଲିରେ ଫ୍ୟାକଲ୍ଟି ସଭ୍ୟ, ଇନ୍ଟର୍ଣ୍ଣ ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ । ସେହିପରି ରାଲିରେ ସାମିଲ ହୋଇଥିବା ଆଇଡିଏସ୍ର ଇନ୍ଟର୍ଣ୍ଣମାନେ କାର୍ଯ୍ୟକ୍ରମକୁ ସଫଳ କରିବା ସହ ସଚେତନତାମୂଳକ ପ୍ରଚାର ଜନସାଧାରଣଙ୍କୁ ବାଂଟିଥିଲେ । ରାଲିକୁ ଆଇଡିଏସ୍ ର ଟୋବାକୋ ସିସେସନ୍ ସେଂଟରର ନୋଡାଲ୍ ଅଫିସର ପ୍ରଫେସର ସନତ୍ କୁମାର ଭୂୟାଁ ଶୁଭାରମ୍ଭ କରିଥିବାବେଳେ ତାଙ୍କ ସହିତ ଡାକ୍ତର ବସନ୍ତ ଚୌଧୁରୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଡାକ୍ତର ଗାଥା ମହାନ୍ତି, ଡାକ୍ତର ସ୍ମିତା ପ୍ରିୟଦର୍ଶନୀ ଓ ଡାକ୍ତର ସୁମିତା ମିଶ୍ର ପରିଚାଳନା କରିଥିଲେ । ଆଇଡିଏସ୍ର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହେବା ସହ ଓଡିଶାକୁ ସୁସ୍ଥ ଓ ତମାଖୁ ମୁକ୍ତ କରିବା ନେଇ ଏକ ବାର୍ତା ପ୍ରଦାନ କରିଥିଲେ ।










