28.9 C
Bhubaneswar
Wednesday, July 22, 2026
Homeଓଡିଶାସିଏମ୍‌ଓରୁ ଫାଇଲ୍ ଗାୟବ ମାମଲା: ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

ସିଏମ୍‌ଓରୁ ଫାଇଲ୍ ଗାୟବ ମାମଲା: ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାୟବ ହେବା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଏବଂ ପ୍ରଶାସନିକସ୍ତରରେ ତତ୍ପରତା ବୃଦ୍ଧିପାଇଛି। ଏହି ଚର୍ଚ୍ଚିତ ମାମଲାରେ ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ରାଜନେତା ଭିକେ ପାଣ୍ଡିଆନଙ୍କୁ ଏସିପି ଜୋନ୍‌-୧ ପକ୍ଷରୁ ସ୍ୱତନ୍ତ୍ର ନୋଟିସ୍ ଜାରି କରାଯାଇଛି। ଆଗାମୀ ଜୁଲାଇ ୨୫ ତାରିଖ ଦିନ ତାଙ୍କୁ ଏସିପି ଅଫିସରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ମିଳିଛ। ପୁଲିସ ପକ୍ଷରୁ କୁହାଯାଇଛି ଯେ, କ୍ୟାପିଟାଲ ଥାନାରେ ଗତ ଜୁନ ୧୦ ତାରିଖରେ ରୁଜୁ ହୋଇଥିବା ମାମଲାର ତଦନ୍ତ ସଂକ୍ରାନ୍ତରେ ଏହି ନୋଟିସ ପଠାଯାଇଛି। ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଏହି ମାମଲା ସମ୍ବନ୍ଧୀୟ ଯେକୌଣସି ଦଲିଲ, ରେକର୍ଡ, ଇଲେକ୍ଟ୍ରୋନିକ୍ସ ଉପକରଣ କିମ୍ବା ଅନ୍ୟାନ୍ୟ ପ୍ରାସଙ୍ଗିକ ସାମଗ୍ରୀ ଯାହା ନିଜ ପାଖରେ ଥିବ ତାହା ସାଙ୍ଗରେ ଆଣିବାକୁ ପୁଲିସ ନୋଟିସରେ ସ୍ପଷ୍ଟ ଭାବରେ ଦର୍ଶାଇଛି। ପାଣ୍ଡିଆନ ୨୦୧୧ ମଇ ମାସରୁ ୨୦୨୩ ଅକ୍ଟୋବର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଓ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଚିତ। ତାଙ୍କୁ ନୋଟିସ୍ କରାଯିବା ପରେ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଏହି ସମ୍ବେଦନଶୀଳ ମାମଲାରେ ରାଜ୍ୟ ସରକାର ଏହାପୂର୍ବରୁ ଦୁଇଜଣ ବରିଷ୍ଠ ସଚିବ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲେ। ମାତ୍ର ସେହି ସମୟରେ ଉଭୟ ଅଧିକାରୀ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ନିର୍ଦ୍ଧାରିତ ଦିନରେ ହାଜର ହୋଇନଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଭିକେ ପାଣ୍ଡିଆନଙ୍କୁ ନୋଟିସ୍ ମିଳିବା ପରେ ସେ ଆଗାମୀ ଜୁଲାଇ ୨୫ ତାରିଖରେ ହାଜର ହେଉଛନ୍ତି କି ନାହିଁ, ସେ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଜାଗ୍ରତ ହୋଇଛି। ସରକାରୀ ସ୍ତରରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କିମ୍ବା ଫାଇଲ୍ ହେରଫେର ବା ଗାୟବ ହେବା ଘଟଣାକୁ ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି। ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ପୁଲିସ ଏବଂ ରାଜ୍ୟ ସରକାର ତନାଘନା ଜାରି ରଖିଛନ୍ତି। ଏହି ମାମଲାରେ ଆଗକୁ ଆହୁରି କିଛି ନୂତନ ଖୁଲାସା ହେବାର ସମ୍ଭାବନା ରହିଥିବାବେଳେ ପ୍ରାଶାସନିକ ମହଲରେ ଏହା ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking