ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମଙ୍ଗଳବାର ୫ ନୂଆ ବିଚାରପତି ଶପଥ ନେଇଛନ୍ତି। ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚଛି। ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ କମ୍। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଭେଙ୍କିତା ସୁବ୍ରମଣି ମୋହନ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶିଲ ନାଗୁ, ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁନ୍ ପାଲ୍ଲି ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଇଛନ୍ତି।
ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ସମେତ ମଞ୍ଜୁରୀପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୩୪ ହୋଇଥିବାବେଳେ ଏହାକୁ ୩୮କୁ ବଢ଼ାଇବା ପାଇଁ ଗତ ମାସରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ବଳରେ ଆଇନରେ ସଂଶୋଧନ କରିଥିଲେ। ଏବେ ୨ଟି ପଦବୀ ଖାଲି ଥିବାବେଳେ ଆଇନରେ ସଂଶୋଧନ ପରେ ଖାଲି ପଦବୀ ସଂଖ୍ୟା ୬ ହୋଇଥିଲା। ୫ ବିଚାରପତିଙ୍କୁ ନିଯୁକ୍ତି ମିଳିଥିବାରୁ ସୁପ୍ରିମକୋର୍ଟରେ ଆଉ ଗୋଟିଏ ପଦବୀ ଖାଲି ରହିଛି। ଗତ ୨୭ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍ ୫ ବିଚାରପତିଙ୍କ ନାମ ସୁପାରିସ କରିଥିବାବେଳେ ୪ ଦିନ ପରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।










