ନୂଆଦିଲ୍ଲୀ: କାନାଡାରେ ଇସ୍କନର ଅଦିନିଆ ରଥଯାତ୍ରା । ଓଡ଼ିଆ ସଂଗଠନର ପ୍ରତିବାଦ ସତ୍ତ୍ଵେ କାନାଡ଼ାର ନାଏଗ୍ରା ସହରରେ ଇସ୍କନ ରଥଯାତ୍ରା ଆୟୋଜନ କରିଛି। ଦୁଇ ଦିନ ପୂର୍ବରୁ ଆମେରିକାରେ ଅଦିନିଆ ରଥଯାତ୍ରା ପାଳନ କରାଯାଇଥିବା ବେଳେ କାନାଡାରେ ମଧ୍ୟ ଇସ୍କନ ମନ୍ଦିର ତରଫରୁ ରଥଯାତ୍ରା ପାଳନ କରାଯାଇଛି। ଟରୋଣ୍ଟରେ ଥିବା ଓଡ଼ିଆ ସମାଜ ଇସ୍କନ୍ ମନ୍ଦିରକୁ ଚିଠିଲେଖି ପ୍ରତିବାଦ କରିଥଲେ ମଧ୍ୟ ଇସ୍କନ ଶୁଣିନଥିବା ଅଭିଯୋଗ ହୋଇଛି।
ବିଦେଶରେ ଥିବା ଇସ୍କନ ମନ୍ଦିରମାନଙ୍କରେ ଅଦିନିଆ ରଥଯାତ୍ରା ଲଗାତର ପାଳନ ହେଉଛି। ଦୁଇ ଦିନ ପୂର୍ବରୁ ଆମେରିକା ଇସ୍କନ ମନ୍ଦିର ତରଫରୁ ରଥଯାତ୍ରା ପାଳନ କରାଯାଇଥିବା ବେଳେ କାନାଡାରେ ମଧ୍ୟ ଗତ ଦୁଇ ଦିନରେ ଦୁଇଟି ସହରରେ ଇସ୍କନ ମନ୍ଦିର ତରଫରୁ ରଥଯାତ୍ରା ଆୟୋଜନ କରାଯାଇଛି। କାନାଡାର ରାଜଧାନୀ ଟରୋଣ୍ଟ ସହରର ୱାଟର୍ଲୂ ଠାରେ ଥିବା ଇସ୍କନ ମନ୍ଦିରରେ ମେ ୩୦ ତାରିଖରେ ରଥଯାତ୍ରା ପାଳନ ହୋଇଥିବା ବେଳେ ନାଇଗ୍ରାରେ ମେ ୩୧ ତାରିଖ ଅର୍ଥାତ୍ ଭାରତୀୟ ସମୟ ଆଜି ଭୋର୍ ଚାରିଟା ବେଳେ ରାତଯାତ୍ରା ସମ୍ପନ୍ନ ହୋଇଛି। ଟରୋଣ୍ଟରେ ଥିବା ଓଡ଼ିଆ ସମାଜ ଉଭୟ ଇସ୍କନ୍ ମନ୍ଦିରକୁ ଚିଠିଲେଖି ପ୍ରତିବାଦ କରିଥଲେ ମଧ୍ୟ ସେମାନେ ରଥଯାତ୍ରା ନିଜ ନିର୍ଦ୍ଧାରିତ ସମୟରେ ପାଳନ କରିଥିଲେ। କାନାଡାର ନାଇଗ୍ରାରେ କିଛି ଘଣ୍ଟା ପୂର୍ବରୁ ସମ୍ପନ୍ନ ହୋଇଥିବା ରଥଯାତ୍ରାରେ ସେଠାକାର ଓଡ଼ିଆ ସଂଗଠନର ଉପାଧ୍ୟାକ୍ଷା ଡ଼.ସୁନନ୍ଦା ମିଶ୍ର ପଣ୍ଡା ଉପସ୍ଥିତ ଥିଲେ।










