37.1 C
Bhubaneswar
Thursday, May 21, 2026
Homeଓଡିଶାମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ପକ୍ଷଭୁକ୍ତ କରାଯାଇ ମାମଲା ରୁଜୁ କରାଯାଉ: କଂଗ୍ରେସ

ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ପକ୍ଷଭୁକ୍ତ କରାଯାଇ ମାମଲା ରୁଜୁ କରାଯାଉ: କଂଗ୍ରେସ

ଭୁବନେଶ୍ୱର:  ରିଖ ପାରାଦ୍ୱୀପ କୁଜଙ୍ଗ ଅଞ୍ଚଳରେ ମାଫିଆଙ୍କ ବେଆଇନ ମାଟି ଖନନ ଓ ଏସବୁ କାର୍ଯ୍ୟକଳାପରେ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସମ୍ପୃକ୍ତିକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା lଏହି ସମ୍ମିଳନୀରେ ପାରାଦ୍ୱୀପ ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟକ, ପରିବେଶବିତ ଓ କଂଗ୍ରେସ ନେତା ସୁଧାଂଶୁ ଦେଓ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଓ ପିସିସି ମୁଖପାତ୍ର ଡଃ ଦେବାଶିଷ ଭୂୟାଁ ଯୋଗଦେଇ ପାରାଦ୍ୱୀପ ଅଞ୍ଚଳରେ ବେଆଇନ ଖନନକୁ, ମନ୍ତ୍ରୀଙ୍କ ସମ୍ପୃକ୍ତି, ପ୍ରାକୃତିକ ପରିବେଶ ନଷ୍ଟ ଓ ପ୍ରଦୂଷଣକୁ ନେଇ ସରକାର ଏବଂ ପ୍ରଶାସନକୁ କଡା ସମାଲୋଚନା କରିଥିଲେ lଉପସ୍ଥିତ ନେତୃବୃନ୍ଦ ପ୍ରକାଶ କରିଥିଲେ ଯେ, କୁଜଙ୍ଗରେ ବେଆଇନ ମାଟି ଉଠାଣ ସ୍ଥଳରେ ଗୁରୁବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲାପାଳ ଓ ଏସପି ପହଞ୍ଚି ଅଚାନକ ଚଢ଼ାଉ କରି ମାଟି ଉଠାଣ କୁ ବନ୍ଦ କରିଦେବା ସହ ଏହି ବେଆଇନ ମାଟି ଉଠାଣ ରେ ବ୍ୟବହୃତ ୧୧ ହାଇୱା , ୫ ଟା ପ୍ରୋକଲିନ ଜବତ କରିବା ସହ ୪ ଜଣ ଚାଳକଙ୍କୁ ଅଟକ ରଖିଥିଲେ । ନାଫତା ପ୍ରକଳ୍ପ ନିମନ୍ତେ କୁଜଙ୍ଗ ତହସିଲ ଅନ୍ତର୍ଗତ ଫତେପୁର ଓ ପ୍ରତାପପୁର ମୌଜାର ୭୮୦ ଏକର ଜମି ଇଡକୋ ଦ୍ବାରା ଅଧିଗୃହୀତ ହୋଇଥିଲା । ସେହି ଜମିରୁ ଶାସକ ଦଳ ନେତାଙ୍କ ବାହୁଛାୟା ତଳେ ରହି କେତେକ ମାଟି ମାଫିଆ ଅସାଧୁ ସିଣ୍ଡିକେଟ ଗଢି ଗତ ଫେବୃଆରୀ ମାସରୁ ବେଆଇନ ଭାବେ କୋଟି କୋଟି ଟଙ୍କାର ମାଟି ତାଡି କଟକ ପାରାଦୀପ ରେଳ ପଥ ସମ୍ପ୍ରସାରଣ କାର୍ଯ୍ୟକୁ ଯୋଗାଉଥିଲେ । ଏନେଇ ଗଣ ମାଧ୍ୟମରେ ବହୁବାର ଖବର ପ୍ରସାରଣ ହେବାରୁ ସ୍ଥାନୀୟ ପ୍ରଶାସନ ନାମକୁ ମାତ୍ର ଚଢାଉ କରି ଚୁପ ବସି ପଡୁଥିଲା । ପୂର୍ବରୁ କୁଜଙ୍ଗ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ୧୭ ଟା ହାଇୱା ଜବତ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ କଣ ନେଲେ ତାହା ଜଣାପଡ଼ିଲା ନାହିଁ । ଯାହାଫଳରେ ମାଟି ମାଫିଆ ଙ୍କ ଦୌରାତ୍ମ୍ୟ ଦିନ କୁ ଦିନ ବଢି ଚାଲିଲା ।

ସେମାନଙ୍କ ଦୌରାତ୍ମ୍ୟରେ ସାଧାରଣ ଲୋକ ଅତିଷ୍ଠ ହୋଇ ପଡ଼ିଛନ୍ତି । ଅନ୍ୟପଟେ ରେଳପଥ ସମ୍ପ୍ରସାରଣ ପାଇଁ ଚୁକ୍ତିବଦ୍ଧ ହୋଇଥିବା ଠିକା ସଂସ୍ଥାକୁ ମାଟି ଯୋଗାଇବା ପାଇଁ ଜନୈକ ରାଜନେତାଙ୍କ ଭିଣୋଇ ଉକ୍ତ ଠିକା ସଂସ୍ଥା ସହ ଚୁକ୍ତିବଦ୍ଧ ହୋଇଥିଲା । ତାଙ୍କରି ନିର୍ଦ୍ଦେଶରେ ମାଟି ମାଫିଆ ମାନେ ଲକ୍ଷ ଲକ୍ଷ କ୍ୟୁବିକ ମିଟରର ମାଟି ଯୋଗାଇ କୋଟି କୋଟି ଟଙ୍କା ମୁନାଫା ଉଠାଇଥିଲେ । ଉକ୍ତ ବେଆଇନ କାର୍ଯ୍ୟକୁ ସ୍ଥାନୀୟ ରାଜସ୍ବ ପ୍ରଶାସନ ବନ୍ଦ କରିବାକୁ ସକ୍ଷମ ନହେବାରୁ ଜିଲ୍ଲାପାଳ ଜେ ସୋନାଲ ଓ ଏସପି ଅଙ୍କିତ ବର୍ମା କୁଜଙ୍ଗ ତହସିଲଦାର ଓ ପୋଲିସକୁ ନଜଣାଇ ଗୁରୁବାର ବିଳମ୍ବିତ ରାତିରେ ତିର୍ତ୍ତୋଲ , ଏରସମା , ଅଭୟଚାନ୍ଦପୁର ଓ ପାରାଦୀପ ଲକ୍ ଥାନା ପୋଲିସଙ୍କୁ ଏକ ହାଇୱାରେ ନେଇ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ । ଯାହାଫଳରେ ଘଟଣା ସ୍ଥଳରୁ ୧୧ ଟି ହାଇୱା , ୫ ଟା ପ୍ରୋକଲିନ ଜବତ କରିବା ସହ ୪ ଜଣ ଅପରେଟରଙ୍କୁ ଅଟକ ରଖିଛନ୍ତି । ହାଇୱା ସବୁକୁ ବ୍ଲକ ପଡିଆରେ ରଖାଯାଇଥିବା ବେଳେ ପ୍ରୋକଲିନ ସବୁକୁ ମଧ୍ୟ ହାଇସ୍କୁଲ ପଡିଆରେ ରଖାଯାଇଛି । ମାଷ୍ଟର ମାଇଣ୍ଡଙ୍କୁ ଧରିବା ପାଇଁ କୁଜଙ୍ଗ ପୋଲିସ ତନା ଘନା ଚଲେଇ ଥିଲେ ମଧ୍ୟ ସେମାନେ ଫେରାର ଥିବାରୁ ଧରା ପଡ଼ି ନାହାନ୍ତି । ଯାହାଫଳରେ ସିଣ୍ଡିକେଟ ଚଳାଉଥିବା ତିନି ମାଷ୍ଟର ମାଇଣ୍ଡଙ୍କ ନାମରେ ପ୍ରଶାସନ ତରଫରୁ ଗିରଫ ପରୱାନା ଜାରି କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଘଟଣାସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଏସଂପର୍କରେ କୁଜଙ୍ଗର ଅତିରିକ୍ତ ତହସିଲଦାର ବ୍ୟୋମକେଶ ପ୍ରଧାନଙ୍କ ଲିଖିତ ଅଭିଯୋଗ ଆଧାରରେ ମୋକଦ୍ଦମା କରାଯିବ ବୋଲି କୁଜଙ୍ଗ ଥାନା ଅଧିକାରୀ ଶିବାଶିଷ ଦାସ କହିଛନ୍ତି । କିନ୍ତୁ ଏସପି ଅଙ୍କିତ ବର୍ମା ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି ଯେ ଯେଉଁ ଅପରେଟର୍ ଧରା ହୋଇଛନ୍ତି ଉକ୍ତ ମାଟି ଚୋରି ର ମାଷ୍ଟର ମାଇଣ୍ଡ କିଏ ସେମାନଙ୍କ ଠାରୁ ଜଣାପଡ଼ିଲା ପରେ ସେହି ମାନଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l ପୁଣି ଏହି ବେନିୟମ ମାଟି ଉତ୍ତୋଳନ କାର୍ଯ୍ୟକୁ ପର୍ଦାଫାଶ ପାଇଁ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଆକ୍ରମଣ ଭଳି ନିନ୍ଦନୀୟ ଘଟଣା ଘଟିଛି l

ଇଡ଼କୋ ବିଭାଗୀୟ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସମ୍ପୃକ୍ତିକୁ ନେଇ କଂଗ୍ରେସ ପ୍ରଶ୍ନ ପଚାରିଛି l ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ 20 ଏକର ବିଶିଷ୍ଟ ଏକ ଫାର୍ମ ଏହି ଅଞ୍ଚଳରେ ହାଉସ ଅଛି ଏବଂ ମାଟି ଖନନ ହୋଇ ତାଙ୍କ ଫାର୍ମ ହାଉସରେ ହଜାର ହଜାର ଟ୍ରିପ ମାଟି ପକା ଯାଉଛି l ଏହି ବେଆଇନ ମାଟି ଖନନ ମାଫିଆ ମାଷ୍ଟର ମାଇଣ୍ଡ ସବୁ ମନ୍ତ୍ରୀଙ୍କ ପାଖ ଲୋକ ଓ ତାଙ୍କ ଛତ୍ରଛାୟା ତଳେ ଥାଇ ଏସବୁ ବେନିୟମ କାର୍ଯ୍ୟରେ ଲିପ୍ତ ଅଛନ୍ତି l ମନ୍ତ୍ରୀଙ୍କ ସହ ଏମାନଙ୍କ ଫୋଟୋ ସବୁ ଘୁରି ବୁଲୁଛି ଓ କେତେ ଘନିଷ୍ଠ ତାହା ପ୍ରମାଣ କରୁଛି l ତେଣୁ ଏହି ଖନନ ଘଟଣାରେ ମନ୍ତ୍ରୀ ସମ୍ପଦ ସ୍ବାଇଁକୁ ମଧ୍ୟ ପକ୍ଷଭୁକ୍ତ କରାଯାଇ ମାମଲା ରୁଜୁ କରାଯାଉ lପାରାଦ୍ୱୀପ ଅଞ୍ଚଳ ବର୍ତ୍ତମାନ ମାଟି ଓ ବାଲିରେ ମାଫିଆଗିରି ମାଧ୍ୟମରେ ଯେଭଳି ଲକ୍ଷ ଲକ୍ଷ ଟନ ମାଟି ଉତ୍ତୋଳନ କରାଯାଉଛି l ଆଗାମୀ ଦିନରେ ଏହି ଅଞ୍ଚଳ ଏକ ବଡ଼ ପ୍ରାକୃତିକ ବିପର୍ଯୟ ଘଟିବା ସହ ଜୈବ ବିଭିଦତା ନଷ୍ଟ ହେବ ଓ କିଛି ବର୍ଷ ମଧ୍ୟରେ ଏହି ଅଞ୍ଚଳ ମରୁଭୂମି ପାଲଟିବ ବୋଲି ଉପସ୍ଥିତ କଂଗ୍ରେସ ନେତୃଗଣ ମତ ପ୍ରକାଶ କରିଥିଲେ lଭବିଷ୍ୟତରେ ଏହାକୁ ରୋକା ନଗଲେ ବିରାଟ ଆନ୍ଦୋଳନକୁ ଓଲ୍ହାଇବ ବୋଲି କଂଗ୍ରେସ ତରଫରୁ ଚେତାବନୀ ଦିଆଯାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking