ସୁନ୍ଦରଗଡ଼: ୨୦୨୩ ମସିହାରେ ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଘଟିଥିବା ଜଣେ ନାବାଳିକାଙ୍କ ଦୁଷ୍କର୍ମ ଓ ପରବର୍ତ୍ତୀ ସମୟରେ ତାଙ୍କୁ ଦିଲ୍ଲୀରେ ବିକ୍ରି କରାଯାଇଥିବା ମାମଲାରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ କଡ଼ା ରାୟ ଶୁଣାଇଛନ୍ତି । ଦୁଷ୍କର୍ମ ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦାୟ କଲେ ଅତିରିକ୍ତ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି, ନାବାଳିକାଙ୍କୁ ଚାଲାଣ ଓ ବିକ୍ରି କରିବା ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦାୟ କଲେ ସେମାନଙ୍କୁ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ । ଏହା ସହିତ, ପୀଡ଼ିତା ନାବାଳିକାଙ୍କ ପୁନର୍ବାସ ଓ ସହାୟତା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।










