ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ବିଫଳ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ରକ୍ତାକ୍ତ ହୋଇଛି ବେଲପଡ଼ା ଅଞ୍ଚଳ । ପ୍ରେମିକାଙ୍କୁ ଛୁରାମାଡ଼ କରିବା ପରେ ପ୍ରେମିକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପ୍ରେମିକଙ୍କୁ ପୁଲିସ୍ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଏଭଳି ଲୋମହର୍ଷଣକାରୀ ଘଟଣା ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ସାଇନଗର ପଡ଼ାରେ ଘଟିଛି । ସୂଚନା ଅନୁସାରେ, ପ୍ରେମ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ବିବାଦ ଉଗ୍ର ରୂପ ନେବା ପରେ ପ୍ରେମିକାଙ୍କ ପେଟରେ ଛୁରାମାଡ଼ କରାଯାଇଥିବାବେଳେ, ପରେ ପ୍ରେମିକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ପ୍ରେମିକ ମୁନ୍ନା ବେହେରା ମୁରିବାହାଲ ଥାନା ଅନ୍ତର୍ଗତ କତରଲଗା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । ଖବର ପାଇ ବେଲପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁନ୍ନାଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ, ଛୁରାମାଡ଼ ଓ ହତ୍ୟା ଉଦ୍ୟମ ପଛର ପ୍ରକୃତ କାରଣ ଖୋଜାଯାଉଛି । ଉଭୟଙ୍କ ସ୍ୱାସ୍ଥ୍ୟ ଓ ଘଟଣାର ସମସ୍ତ ପରିସ୍ଥିତିକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।










