ପୁରୀ: ରଥଖଳାକୁ ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ । ୩ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ପହଞ୍ଚିଥିଲେ । ପ୍ରଥମେ ବଳଭଦ୍ରଙ୍କ ରଥରେ ଆଜ୍ଞାମାଳ ଦିଆଯାଇଥିଲା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥରେ ଆଜ୍ଞାମାଳ ଦିଆଯାଇଥିଲା ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଆଜ୍ଞାମାଳ ଦିଆଯାଇଥିଲା । ଏହି ସମୟରେ ଚତୁଃପାଶ୍ୱ ଘଣ୍ଟ, କାହାଳୀ, ଶଙ୍ଖ ଏବଂ ଭକ୍ତଙ୍କ ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା । ତିନି ରଥର ଆଜ୍ଞାମାଳ ବିଜେ ପାଇଁ ବହୁ ଦୂରରୁ ଭକ୍ତମାନେ ପୁରୀ ବଡଦାଣ୍ଡକୁ ଆସି ଏକାଠି ହୋଇ ଦର୍ଶନ କରିଥିଲେ । ରଥ ଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ରଥ ଗଡିବା ପାଇଁ ଏହି ଆଜ୍ଞାମାଳ ଦିଆଯାଇଥାଏ । ଆଜ୍ଞାମାଳ ବିଜେ ପରେ ଶ୍ରୀମନ୍ଦିର ସମ୍ମୁଖକୁ ଗଡିବ ୩ ରଥ ।ବିଧି ଅନୁସାରେ ନନ୍ଦିଘୋଷ ରଥ ପ୍ରଥମେ ସିଂହଦ୍ୱାର ସାମ୍ନାକୁ ଯିବ , ପରେ ଦର୍ପଦଳନ ଓ ତାଳଧ୍ୱଜ ସିଂହଦ୍ୱାର ସାମ୍ନାରେ ପହଞ୍ଚିବ । ଭଗବାନଙ୍କ ବିନା ଇଚ୍ଛାରେ ଯେମିତି ପତ୍ରଟେ ଝଡେନି , ସେମିତି ଆଜ୍ଞାମାଳ ବିନା ରଥ ଗଡିବ ନାହିଁ ପରମ୍ପାରା ଅନୁଯାୟୀ, ତାହା ସମ୍ପନ୍ନ ହୋଇଛି । ୩ ରଥକୁ ଆଜ୍ଞାମାଳ ପହଞ୍ଚିବାର ଏହି ଦିବ୍ୟ ଦୁର୍ଲଭ ଦୃଶ୍ୟ ଦେଖିବା ପାଇଁ ପୁରୀ ବଡଦାଣ୍ଡରେ ଭକ୍ତମାନେ ରୂଢ ହୋଇଛନ୍ତି ।










