ନୂଆଦିଲ୍ଲୀ: ଇବୋଲା ଭାଇରସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି , ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଏହା ଦ୍ୱାରା ଆପ୍ରିକା ମହାଦେଶ ସବୁଠାରୁ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଶ୍ୱସ୍ତିକର ବିଷୟ ଯେ, ଭାରତରେ ଏଯାଏଁ ଇବୋଲା ଭାଇରସର ଗୋଟିଏ ବି ମାମଲା ରିପୋର୍ଟ ନାହିଁ । ତେବେ ସତର୍କତା ସ୍ୱରୁପ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ କେତେକ ଦେଶରୁ ଆସୁଥିବା ଯାତ୍ରୀଙ୍କ କଟକଣା ଜାରି କରାଯାଇଛି । ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିଥିବା ଦକ୍ଷିଣ ସୁଦାନ ଏବଂ ଉଗାଣ୍ଡାରୁ ଆସୁଥିବା ଯାତ୍ରୀଙ୍କ ପାଇଁ କଠୋର ନିର୍ଦ୍ଦେଶାବଳୀ ଏବଂ ଯାତ୍ରୀ ପରାମର୍ଶ ଜାରି କରିଛି ।ତେଣୁ ବିମାନ ବନ୍ଦରରେ ସଚେତନତା ଏବଂ ସ୍କ୍ରିନିଂ ଉଭୟ ବୃଦ୍ଧି କରାଯାଇଛି । ଏଥିରେ ଆକ୍ରାନ୍ତ ଲୋକଙ୍କଠାରେ ଦେଖା ଯାଉଥିବା ଲକ୍ଷଣଗୁଡିକ କରୋନା ଭାଇରସ ସହିତ ସମାନ । ଆକ୍ରାନ୍ତ ହେଲେ ଜ୍ୱର, ଦୁର୍ବଳତା, ବାନ୍ତି, ମୁଣ୍ଡବିନ୍ଧା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଇଥାଏ । ଲୋକେ ଏହାକୁ ସାଧାରଣ ଫ୍ଲୁ ବୋଲି ଭାବିଥାନ୍ତି । ପ୍ରଭାବିତ ଦେଶରୁ ଫେରିବାର ୨୧ ଦିନ ମଧ୍ୟରେ ଉପରୋକ୍ତ ଲକ୍ଷଣଗୁଡିକ ଅନୁଭବ କଲେ ଯାତ୍ରୀମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ ଅନୁରୋଧ କରାଯାଇଛି । ଏହା ଦ୍ୱାରା ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରି ସଂକ୍ରମଣକୁ ରୋକାଯାଇ ପାରିବ । ସମସ୍ତଙ୍କୁ ସଚେତନ ରହିବାକୁ ପଡିବ । ତେବେ ଯାଇ ସଂକ୍ରମଣକୁ ରୋକାଯାଇ ପାରିବ ।










