ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ ସଙ୍କଟ ଭିତରେ ଆଇଓସିଏଲ ଓ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସହ ବୈଠକ କରିଛନ୍ତି ଯୋଗାଣ ମନ୍ତ୍ରୀ। ଏହି ବୈଠକ ପରେ ବଡ ସୂଚନା ଦେଇଛନ୍ତି ଆଇଓସିଏଲ ସିଜିଏମ କମଲ ସିଲ୍ । କହିଛନ୍ତି, ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣର ରହିଛି। ଭୟଭୀତ ହୋଇ ଅତ୍ୟଧିକ ପରିମାଣରେ ତେଲ କିଣିବାରୁ ଏଭଳି ସ୍ଥିତି ଉପୁଜିଛି। ଏଥିରେ ଧୀରେ ଧୀରେ ଏବେ ସୁଧାର ଆସିଲାଣି। ସମସ୍ତ ଟାଙ୍କିକୁ କମ୍ପାନି ପକ୍ଷରୁ ଯୋଗାଣକୁ ସ୍ବାଭାବିକ କରାଯାଇଛି। ତେଣୁ ଲମ୍ବା ଲାଇନରେ ଛିଡା ହୋଇ ତେଲ କିଣିବାର ଆବଶ୍ୟକତା ନାହିଁ। ସମସ୍ତଙ୍କ ପାଇଁ ପର୍ୟ୍ୟାପ୍ତ ପରିମାଣର ତେଲ ମହଜୁଦ୍ ରହିଛି। ପାରାଦୀପ ରିଫାଇନାରିରୁ କୌଣସି ତେଲ ସଙ୍କଟ ସୃଷ୍ଟି ହୋଇନି। କୌଣସି ଟାଙ୍କିରେ ପେଟ୍ରୋଲ ଅଭାବ ଦେଖିବାକୁ ମିଳିଲେ ତୁରନ୍ତ ଏହାକୁ ପୂରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ଅହେତୁକ ଭାବେ ତେଲ ବିକ୍ରି ହେବାରୁ ଏଭଳି ସ୍ଥିତି ସୃଷ୍ଟି ହେଲା। ଯୋଗାଣ ବ୍ୟବସ୍ଥା ବିଳମ୍ବିତ ହୋଇଥିବାରୁ କିଛି ତେଲ ଟାଙ୍କିରେ ପେଟ୍ରୋଲ ସଙ୍କଟ ଦେଖାଦେଇଥିଲା। ରବିବାର ମଧ୍ୟ ତେଲ ଡିପୋରୁ ମଧ୍ୟ ତେଲ ଯୋଗାଣ କରାଯିବ। ରବିବାର ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ବାଭାବିକ ହେବ ବୋଲି ଆଶ୍ବସ୍ତ କରିଛନ୍ତି ସଞ୍ଜୟ ଲାଠ।










