ଭୁବନେଶ୍ୱର: ସାବିତ୍ରୀ ଅମାବାସ୍ୟା ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ସରକାରୀ କର୍ମଚାରୀଙ୍କୁ ସାବିତ୍ରୀ ଭେଟି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ସମ୍ପ୍ରତି ଇରାନ୍-ଆମେରିକା ଯୁଦ୍ଧ ଯୋଗୁଁ ରାଜ୍ୟରେ ଦରଦାମର ବୃଦ୍ଧି ଓ ଶକ୍ତି ସଙ୍କଟରେ ଏହି ଭତ୍ତାବୃଦ୍ଧି କିଛି ପରିମାଣରେ ଆଶ୍ବସ୍ତି ଆଣିବ। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୨୦୨୬ ଜାନୁଆରୀ ପହିଲାରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମେ ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍ସନ ଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ମେ ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।










