ଭୁବନେଶ୍ୱର: ରାଜ୍ୟରେ ପାଗର ପରିବର୍ତ୍ତନକୁ ନେଇ ଆସନ୍ତା ୫ ଦିନ ପର୍ୟ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲିଠୁ ୫ ଦିନ ପର୍ୟ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଏବଂ ଝଟକା ପବନ ହେବାର ସମ୍ଭାବନା ରହିଛି । ଆଗାମୀ ୫ ଦିନ ବା ୧୩ରୁ ୧୭ ତାରିଖ ଯାଏଁ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ପବନ ବହିପାରେ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ୧୮ ଓ ୧୯ ତାରିଖ ଦୁଇ ଦିନ ପାଇଁ କୌଣସି ପ୍ରକାରର ସତର୍କ ସୂଚନା ବା ୱାର୍ଣ୍ଣିଂ ଜାରି କରାଯାଇ ନାହିଁ। ସପ୍ତାହ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଅନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟ ମଧ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳୁଥିବାରୁ ବିଜୁଳି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ସହ କୃଷି କାର୍ୟ୍ୟ ପାଇଁ ଏହି ବର୍ଷା ସହାୟକ ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।










