ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବାଦଲ ଘନୀଭୂତ ହେବାରେ ଲାଗିଛି। ଇରାନ ପକ୍ଷରୁ ଦିଆଯାଇଥିବା ଅସ୍ତ୍ରବିରତି ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିବା ପରେ ତେହେରାନ ଏବେ ଆମେରିକାକୁ କଡ଼ା ଚେତାବନୀ ଦେଇଛି। ଇରାନ କହିଛି ଯେ, ତା’ର ସଶସ୍ତ୍ର ବାହିନୀ ଯେକୌଣସି ପ୍ରକାରର ଆକ୍ରମଣର ମୁକାବିଲା କରିବାକୁ ଏବଂ ଆକ୍ରମଣକାରୀକୁ ଶିକ୍ଷା ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ଟ୍ରମ୍ପଙ୍କୁ ଜବାବ ଦେଇ କହିଛନ୍ତି ଯେ, ଭୁଲ ରଣନୀତି ଓ ଖରାପ ନିଷ୍ପତ୍ତିର ପରିଣାମ ସବୁବେଳେ ଭୟଙ୍କର ହୋଇଥାଏ। ଇରାନର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ସେମାନଙ୍କ ପ୍ରସ୍ତାବରେ ଆମେରିକାର ନୌସେନା ଅବରୋଧ ହଟାଇବା ଏବଂ ଲେବାନନରେ ହିଜବୋଲା ଉପରେ ହେଉଥିବା ଇସ୍ରାଏଲୀ ଆକ୍ରମଣ ବନ୍ଦ କରିବାକୁ ଦାବି କରାଯାଇଥିଲା। ଏଥିସହ ବର୍ଷ ବର୍ଷ ଧରି ବିଦେଶରେ ଅଟକି ରହିଥିବା ଇରାନୀ ସମ୍ପତ୍ତିକୁ ମୁକ୍ତ କରିବାକୁ ମଧ୍ୟ ତେହେରାନ ଦାବି କରିଛି। ଏହାସହ ସେ କହିଛନ୍ତି, ଇରାନ କୌଣସି ରିହାତି ମାଗୁନାହିଁ, ବରଂ ନିଜର ବୈଧ ଅଧିକାର ପାଇଁ ଲଢ଼ୁଛି। ତେହେରାନର ଏହି କଠୋର ଆଭିମୁଖ୍ୟ ପରେ ଅଞ୍ଚଳରେ ସାମରିକ ସଂଘର୍ଷର ଆଶଙ୍କା ବୃଦ୍ଧି ପାଇଛି।










