ନୂଆଦିଲ୍ଲୀ: ବୈଷୟିକ ତ୍ରୁଟିର ତଦନ୍ତ ଚାଲିଥିବାବେଳେ ଭାରତୀୟ ସେନାର ଚିତାଲ ହେଲିକପ୍ଟର ଲଦାଖ ଓ ସିଆଚେନ୍ ଅଞ୍ଚଳରେ ଏହାର ଉଡ଼ାଣ ଜାରି ରଖିଛି। ବୈଷୟିକ ତ୍ରୁଟି ଯୋଗୁ ମେ ୨୦ ତାରିଖରେ ଲଦାଖର ଟାଙ୍ଗତ୍ସେ ଅଞ୍ଚଳରେ ଚିତାଲ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏବେବି ଏହାର ତଦନ୍ତ ଚାଲିଛି । ଅଧିକାରୀମାନେ ନାମ ପ୍ରକାଶ ନକରି କହିଛନ୍ତି ଯେ, ଟାଙ୍ଗତ୍ସେ ଅଞ୍ଚଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସିଙ୍ଗଲ୍-ଇଞ୍ଜିନ୍ ହେଲିକପ୍ଟରର ଟ୍ରାନ୍ସମିସନ୍ ସିଷ୍ଟମରେ ବିଫଳତା ଉପରେ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପ୍ରକ୍ରିୟାରେ ଟ୍ରାନ୍ସମିସନ୍ ସିଷ୍ଟମର କେଉଁ ଉପାଦାନ ବିଫଳ ହୋଇଥିଲା ତାହା ଚିହ୍ନଟ କରାଯିବା ପରେ ସଂଶୋଧନମୂଳକ ପଦକ୍ଷେପ ନିଆଯିବ । ଲେହ-ସ୍ଥିତ ୧୪ କର୍ପସ ମୁଖ୍ୟାଳୟ ଚିତା ହେଲିକପ୍ଟର ଉନ୍ନତ ସଂସ୍କରଣ ଚିତାଲର ପ୍ରାୟ ୨୫ଟି ହେଲିକପ୍ଟରର ପରିଚାଳନା କରୁଛି। ଅନ୍ୟପକ୍ଷରେ ଭାରୀ ଉନ୍ନତ ହାଲୁକା ହେଲିକପ୍ଟର ଧ୍ରୁବକୁ ଲଦାଖ ପର୍ବତମାଳାରେ ଆଗ ଧାଡ଼ିର କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ ନାହିଁ । ଏହା ତୁଳନାରେ ହାଲୁକା ଚିତାଲ୍ ହେଲିକପ୍ଟରକୁ ଦୁର୍ଘଟଣା ପରଠାରୁ ପ୍ରତିଦିନ ବ୍ୟବହାର କରାଯାଉଛି ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ, ମେ ୨୦ରେ ହୋଇଥିବା ଦୁର୍ଘଟଣାବେଳେ ହେଲିକପ୍ଟରଟି ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ଜଣେ ମେଜର ଉଡ଼ାଉଥିଲେ। ତୃତୀୟ ପଦାତିକ ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲ ସଚିନ ମେହେତା ମଧ୍ୟ ଏଥିରେ ଥିଲେ। କିନ୍ତୁ ସମସ୍ତ ଅଧିକାରୀ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।










