ପୁରୀ : ପାଖେଇ ଆସୁଛି ରଥଯାତ୍ରା ।ଏଥିପାଇଁ ପ୍ରସ୍ତୁତି ଜୋରଦାର । ଏହିକ୍ରମରେ ପୁରୀରେ ପହଞ୍ଚିଲା ବାସୁଙ୍ଗା ପାଟ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତନୀତିରେ ଲାଗେ ଏହି ପାଟ। ଭୁବନେଶ୍ୱର ଶହୀଦ ନଗରସ୍ଥିତ ଓଡିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ୍) କାର୍ଯ୍ୟାଳୟ ପରିସରରୁ ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରେରଣ କରାଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପତାକା ଦେଖାଇ ପ୍ରେରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପୂଜାର୍ଚ୍ଚନା କରି ବାସୁଙ୍ଗା ପାଟ ଶ୍ରୀମନ୍ଦିର ପ୍ରଶାସନକୁ ପଠା ଯାଇଥିଲା। ଶ୍ରୀମନ୍ଦିରରେ ବିଗ୍ରହମାନଙ୍କର ବିଜୟ ଡୋରୀ, ପଇତା, ରାକ୍ଷୀ ଆଦି ତିଆରି କରିବାରେ ଏହାର ବ୍ୟବହାର ହୋଇଥାଏ ।୧୯୮୧ ମସିହାରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ (SERIFED) ବାସୁଙ୍ଗା ପାଟ ଯୋଗାଇ ଆସୁଛି। ଚଳିତବର୍ଷ ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି ।










