ଦି ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICMAI) ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ପୂର୍ବ ଭାରତ ଆଞ୍ଚଳିକ ଛାତ୍ର ସମ୍ମିଳନୀ – ‘ ଜ୍ଞାନୋତ୍ଥାନ ୨୦୨୬’କୁ ସମ୍ବୋଧନ କରିଛନ୍ତି ଭାରତୀୟ ନବୀକରଣୀୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ୍ (ଇରେଡା)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ । ଭାରତର ବାର ବର୍ଷର ନବୀକରଣୀୟ ଶକ୍ତି ଅଗ୍ରଗତି କଥା ପ୍ରକାଶ କରି ଶ୍ରୀ ଦାସ କହିଥିଲେ ଯେ ଭାରତର ନବୀକରଣୀୟ ଶକ୍ତି କ୍ଷମତା ବାର୍ଷିକ ୧୧ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରି ୨୦୧୩-୧୪ ଆର୍ଥିକ ବର୍ଷରେ ୭୬ ଗିଗାଓ୍ବାଟରୁ ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ୨୭୫ ଗିଗାଓ୍ବାଟରେ ପହଞ୍ଚିଛି। କେବଳ ୨୦୨୫-୨୬ ଆର୍ଥିକ ବର୍ଷରେ ୫୪.୫୯ ଗିଗାଓ୍ବାଟ୍ କ୍ଷମତା ସ୍ଥାପନ କରାଯାଇଛି। ୨୦୩୦ ଲକ୍ଷ୍ୟର ପାଞ୍ଚବର୍ଷ ପୂର୍ବରୁ ୫୦ ପ୍ରତିଶତ ଅଣ-ଜୀବାଶ୍ମ କ୍ଷମତା ହାସଲ ସହ ଭାରତ ବିଶ୍ବର ୩ୟ ବୃହତ୍ତମ ନବୀକରଣୀୟ ବଜାରରେ ପରିଣତ ହୋଇଛି । ସେ ଉଲ୍ଲେଖ କରିଛନ୍ତି ଯେ ଇରେଡାର ଋଣ ବହି ବାର୍ଷିକ ହାରାହାରି ୨୭ ପ୍ରତିଶତ ହାରରେ ବୃଦ୍ଧି ପାଇ ୨୦୨୦-୨୧ରେ ୨୭,୮୫୦ କୋଟି ଟଙ୍କାରୁ ୨୦୨୫-୨୬ରେ ୯୩,୦୫୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେ ଏହାକୁ ଇରେଡାର ନବସୃଜନ ସଂସ୍କୃତିକୁ ଶ୍ରେୟ ଦେଇଛନ୍ତି, ଯେଉଁଥିରେ ଋଣଗ୍ରହୀତାଙ୍କ ପାଇଁ କାର୍ଯ୍ୟକାଳ ହ୍ରାସ କରି ଜୈବଶକ୍ତି, ସବୁଜ ହାଇଡ୍ରୋଜେନ୍ ଇତ୍ୟାଦି ଉଦୀୟମାନ କ୍ଷେତ୍ରରେ ଆଗୁଆ ଫାଇନାନ୍ସିଂ ଅନ୍ତର୍ଭୁକ୍ତ। ସେ ଏହା ମଧ୍ୟ କହିଥିଲେ ଯେ ଏହା ଦ୍ବାରା ଅଙ୍ଗାରକ ନିର୍ଗମନ ହ୍ରାସ ପାଇ ପରିବେଶ ସୁରକ୍ଷା ହେବା ସହ ଅନେକ ପ୍ରକାରର ପରୋକ୍ଷ ନିଯୁକ୍ତି ସୃଷ୍ଟି କରିଛି। ଇରେଡାର ଏକ ସଫଳତା କଥା ଉଲ୍ଲେଖ କରି ସେ କହିଥିଲେ ଯେ ନଭେମ୍ବର ୨୦୨୩ରେ ଇରେଡାର ଆଇପିଓ ତୃତୀୟ ଉଦ୍ୟମରେ ସଫଳ ହେବା ସହ ୩୮.୮ ଗୁଣ ଓଭରସବସ୍କ୍ରାଇବ ହୋଇଥିଲା। ଏହା ଦ୍ବାରା ନଭେମ୍ବର ୨୦୨୩ରୁ ନଭେମ୍ବର ୨୦୨୪ ମଧ୍ୟରେ ଏହା ଦେଶର ଦ୍ବିତୀୟ ବୃହତ୍ତମ ମୂଲ୍ୟ ସୃଷ୍ଟିକାରୀରେ ପରିଣତ ହୋଇଥିଲା। ଇକୋନୋମିକ ଟାଇମ୍ସ ଅନୁସାରେ ଏହି ତାଲିକାରେ ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଇରେଡା ରହିଥିଲା। ବିଫଳତା ପରେ ଉପରକୁ ଉଠିବା ପ୍ରକୃତ ସଫଳତାକୁ ଦର୍ଶାଏ ବୋଲି ସେ କହିଥିଲେ।
ଛାତ୍ରଛାତ୍ରୀଙ୍କ ନିକଟରେ ଏହି ବାର୍ତ୍ତା ଦେଇ ସେ ସେମାନଙ୍କୁ ମାର୍କ, ଡିଗ୍ରୀ ଏବଂ ନିଯୁକ୍ତିଠାରୁ ଉପରକୁ ଦେଖିବାକୁ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀମାନେ କେଉଁ ସମସ୍ୟାର ସମାଧାନ କରିପାରିବେ, ସେମାନେ କେଉଁ ମୂଲ୍ୟ ସୃଷ୍ଟି କରିପାରିବେ ଏବଂ କେଉଁ ଐତିହ୍ୟ ଛାଡିଯିବେ ତାହା ସେମାନେ ନିଜକୁ ପଚାରିବା ଉଚିତ୍ । କାରଣ ଜୀବନ ଭାଗ୍ୟ ଦ୍ୱାରା ଉନ୍ନତ ହୁଏ ନାହିଁ, ବରଂ ପରିବର୍ତ୍ତନ ଦ୍ୱାରା ଉନ୍ନତ ହୁଏ । ସେ ଅଧ୍ୟାପକମାନଙ୍କୁ ମନେ ପକାଇ ଦେଇଥିଲେ ଯେ ସେମାନେ କେବଳ ଶିକ୍ଷକ ନୁହଁନ୍ତି ବରଂ ରାଷ୍ଟ୍ର ନିର୍ମାତା, ଯାହାଙ୍କର ପ୍ରକୃତ ଭୂମିକା ହେଉଛି ଚିନ୍ତାଧାରାକୁ ପ୍ରେରଣା ଦେବା, ଚରିତ୍ର ଗଠନ କରିବା ଏବଂ ମୂଲ୍ୟବୋଧକୁ ପ୍ରତିଷ୍ଠା କରିବା – କାରଣ ଜଣେ ପ୍ରେରଣାପ୍ରାପ୍ତ ଛାତ୍ରଙ୍କ ପାଖରେ ପିଢ଼ିକୁ ପରିବର୍ତ୍ତନ କରିବାର ଶକ୍ତି ରହିଛି। ବିଶ୍ବ ଏକ ଅଭୁତପୂର୍ବ ଗତିରେ ପରିବର୍ତ୍ତନ ହେଉଛି ଓ ଯୁବପିଢି ଏ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ସେମାନେ କେବଳ କିଛି ନୂଆ ତିଆରି କରି ନୁହେଁ, ବରଂ ରାଷ୍ଟ୍ର ଓ ସମାଜକୁ ଆକାର ଦେଇ ଏହି ପରିବର୍ତ୍ତନ ଆଣିପାରିବେ। ସେ କହିଥିଲେ ଯେ ପ୍ରତି ସିଏମଏ ପେସାଦାର ଏକ ଉଦାହରଣ ପ୍ରସ୍ତୁତ କରିବା ଉଚିତ୍। ଯୋଗ ଓ ଧ୍ୟାନ ଇରେଡାର ଏକ ଅବିଚ୍ଛେଦ୍ୟ ଅଂଗ ବୋଲି ବର୍ଣ୍ଣନା କରି ସେ କହିଥିଲେ ଯେ ଚିନ୍ତାଧାରାକୁ ସମୃଦ୍ଧ କରିବା ଓ ସ୍ଥାୟୀ ଉତ୍କର୍ଷ ହାସଲ କରିବାରେ ଏହା ସହାୟକ ହୋଇଥାଏ। ସେ ନିଜର ବକ୍ତବ୍ୟ ଶେଷରେ ଥ୍ରୀ-ସି ମନ୍ତ୍ର କହିଥିଲେ- କ୍ଲାରିଟି (ସ୍ପଷ୍ଟତା), କମିଟ୍ମେଣ୍ଟ (ସଂକଳ୍ପ) ଓ କନଭିକ୍ସନ (ଦୃଢ ବିଶ୍ବାସ ) ହିଁ ବ୍ୟକ୍ତି ଓ ପ୍ରତିଷ୍ଠାନର ପ୍ରଗତିରେ ସହାୟକ ହୋଇଥାଏ।










