ଚେନାଇ: ତାମିଲନାଡୁ ତିରୁଭଲ୍ଲୁର ଜିଲ୍ଲା ପେରିୟାପାଲ୍ଲୀଆମ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଏମୋନିଆ ଗ୍ୟାସ ଲିକ ଘଟଣାରେ କେନ୍ଦୁଝର ଜିଲ୍ଲାର ୫ଜଣ ଜୁଆଙ୍ଗ ଜନଜାତି ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ମଙ୍ଗଳବାର ପୁଣି ଚିକିତ୍ସାଧୀନ ଅବସ୍ଥାରେ ଥିବା ଯୁବତୀଙ୍କ ମଧ୍ୟରୁ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି l ଏଥି ସହିତ ମୃତ୍ୟୁ ସଂଖ୍ୟା ୭ରେ ପହଁଚିଛି । ଆଉ ସମସ୍ତେ କେନ୍ଦୁଝର ଜିଲ୍ଲାର l ମଙ୍ଗଳବାର ମୃତକ ଦୁଇ ଜଣ ମଧ୍ୟ କେନ୍ଦୁଝର ଜିଲ୍ଲାର l ଜଣେ ତେଲକୋଇ ବ୍ଲକ ରଙ୍ଗମାଟିଆ ଗ୍ରାମର ଜାମୁନି ଜୁଆଙ୍ଗ ଓ ଅନ୍ୟ ଜଣେ ବାଂଶପାଳ ବ୍ଲକ କୋଡ଼ିପଶା ଗ୍ରାମର ସଜନୀ ଜୁଆଙ୍ଗ ବୋଲି ଜଣାପଡିଛି l ଦୁର୍ଘଟଣା ପରେ ରାଜ୍ୟ ସରକାରଙ୍କ ଏକ ୩ ଜଣିଆ ଟିମ୍ ପହଞ୍ଚି ତାମିଲନାଡୁ ସରକାରଙ୍କ ସହିତ ଯୋଗାଯୋଗରେ ରହି ଗୁରୁତର ଥିବା ଯୁବତୀଙ୍କ ଚିକିତ୍ସା ସମ୍ପର୍କରେ ଧ୍ୟାନ ରଖିଛନ୍ତି l ଅନ୍ୟପଟେ ଗତକାଲି ଆଉ ଜଣେ ଅଧିକାରୀ ସରକାର ତାମିଲନାଡୁ ପଠାଇଛନ୍ତି l ସୋମବାର ଯାଇଥିବା ଅଧିକାରୀ ଆଜି ମୃତକ ମାନଙ୍କ ଶବ ଧରି ପହଁଚିବେ ବୋଲି ଜଣାପଡିଛି l ତେବେ ଗୁରୁତର ଥିବା ଅନ୍ୟ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି l










