ଭୁବନେଶ୍ୱର: ଭୁବନେଶ୍ବରରେ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ବିଟେକ୍ ଛାତ୍ରଙ୍କ ମୃତଦେହ ଠାବ। ସେ ଗାମୁଛାରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲାର ବିଶ୍ୱାସ ସ୍ୱାଇଁ। ସେପଟେ ଏହି ଆତ୍ମହତ୍ୟା ଘଟଣାକୁ ନେଇ ଘରୋଇ ହଷ୍ଟେଲ କ୍ୟାମ୍ପସ ଅଶାନ୍ତ ହୋଇଯାଇଥିଲା। ବିଶ୍ୱାସଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରି ରାତି ତମାମ କଲେଜ ଛାତ୍ର ହଙ୍ଗାମା କରିଥିଲେ। ବିଶ୍ୱବିଦ୍ୟାଳୟ ଗେଟ୍ ବାହାରେ ନାରାବାଜି କରିଥିଲେ। ଖବରପାଇ ସ୍ଥାନୀୟ ଇନ୍ଫୋସିଟି ଥାନା ଅଧିକାରୀ ଏବଂ ଜୋନ୍-୬ ଏସିପି ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା କରିଥିଲେ। ତେବେ ସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ୨ପ୍ଲାଟୁନ୍ ପୋଲିସ ଫୋର୍ସ ସହ ପହଞ୍ଚିଥିଲେ ଭୁବନେଶ୍ୱର ଡିସିପି। ଛାତ୍ରମାନଙ୍କୁ ବୁଝସୁଝା କରିବା ପରେ ଆରମ୍ଭ କରିଛନ୍ତି ତଦନ୍ତ। ହଷ୍ଟେଲରେ ବିଶ୍ୱାସଙ୍କ ପାଖ ରୁମ୍ ରେ ରହୁଥିବା ବ୍ୟାଚମେଟ୍ ଏବଂ କିଛି ସିନିୟର୍ ଙ୍କୁ ନେଇ ବୟାନ ରେକର୍ଡ କରାଯାଇଛି। ଅଧିକ ତଥ୍ୟ ପାଇଁ ଜଣେ ସିନିୟର୍ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି ଇନ୍ଫୋସିଟି ଥାନା ପୋଲିସ। ପରିବାର ଲୋକେ ଆସିଲେ ପୋଷ୍ଟ ମର୍ଟମ୍ ହେବ ବୋଲି କହିଛନ୍ତି ଡିସିପି।










