କନ୍ଧମାଳ : ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରର ମାଦିକୁନ୍ଦା ଛକରେ ଭଡ଼ା ଘରୁ ତାଙ୍କର ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ମୃତ ଅଧ୍ୟାପିକାଙ୍କ ନାମ ତେଜେଶ୍ୱନୀ ପାଢ଼ୀ ତାଙ୍କ ଘର ବ୍ରହ୍ମପୁର ଶ୍ରୀରାମ ନଗରରେ ବୋଲି ଜଣାପଡ଼ିଛି । ଘଟଣାରେ ଫୁଲବାଣୀ ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଛି । ଫୁଲବାଣୀ SDPO ଶୁଭ୍ରଜିତ ବିଶ୍ୱାଳ କହିଛନ୍ତି, ଅଧ୍ୟାପିକା ଜଣକ ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହାବିଦ୍ୟାଳୟରେ Guest Faculty ଭାବେ ନିଯୁକ୍ତ ହୋଇଥିଲେ ।
ଚୁକ୍ତି ଅନୁସାରେ ଏପ୍ରିଲ 6 ତାରିଖ ଦିନ ତାଙ୍କୁ Dis-engage କରାଯାଇଥିଲା । ଏହା ପରେ ମଧ୍ୟ ସେ ମାଦିକୁନ୍ଦା ଛକ ସ୍ଥିତ ଭଡ଼ା ଘରେ ରହୁଥିଲେ । ଅପରାହ୍ନରେ ସେହି ଘର ମାଲିକ ଥାନାକୁ ଆସି କହିଥିଲେ, ଅଧ୍ୟାପିକା ରହୁଥିବା ଘରୁ ଦୁର୍ଗନ୍ଧ ବାହାରୁଛି । ଏହି ଖବର ପାଇବା ପରେ ପୋଲିସ ସେହି ଘରକୁ ଯାଇ ଯାଞ୍ଚ କରିବା ବେଳେ ଅଧ୍ୟାପିକା ଜଣକ ଫ୍ୟାନରେ ଝୁଲୁମାନ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ତାପରେ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ, ବ୍ରହ୍ମପୁର ରୁ ତାଙ୍କ ମା ଏବଂ ଭାଇ ଆସିବା ପରେ ପୋଲିସ ସେମାନଙ୍କୁ ସାଥିରେ ନେଇଁ ଫ୍ୟାନରୁ ତାଙ୍କ ମୃତ ଦେହକୁ ଓଲ୍ଲାଇଥିଲେ । ତେବେ ତାଙ୍କର ଏଭଳି ମୃତ୍ୟୁ ନେଇଁ ତାଙ୍କ ପରିବାର ଲୋକ ଥାନାରେ କୌଣସି ଅଭିଯୋଗ ଦେଇନଥିବା ସହିତ ଗଣମାଧ୍ୟମକୁ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । କେଉଁ କାରଣରୁ ଓ କେଉଁ ପରିସ୍ଥିତିରେ ଅଧ୍ୟାପିକାଙ୍କ ମୃତ୍ୟୁ ହୋଇଛି ତାହାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଫୁଲବାଣୀ ଏସଡିପିଓ ଶୁଭ୍ରଜିତ ବିଶ୍ଵାଳ ।










