31.1 C
Bhubaneswar
Wednesday, April 29, 2026
Homeଓଡିଶାବିଭିନ୍ନ ସିଏସଆର୍ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଲେ ରାଜସ୍ୱ ମନ୍ତ୍ରୀ

ବିଭିନ୍ନ ସିଏସଆର୍ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କୋଇଲା ଖଣି ଅଞ୍ଚଳରେ କମ୍ପାନୀମାନଙ୍କ ଦ୍ଵାରା ବିଭିନ୍ନ ସିଏସଆର୍ ପ୍ରକଳ୍ପମାନଙ୍କର ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ସାଧରଣଲୋକଙ୍କ ପାଇଁ ଜନକଲ୍ୟାଣକାରୀ କାର୍ଯ୍ୟ ସୁନିଶ୍ଚିତ କରିବାକୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି lଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟର ପ୍ରମୁଖ କୋଇଲା ଖଣି ଥିବା ଅଞ୍ଚଳ l ଏନଟିପିସି, ଓପିଜିସି, ଏନଏଲସି ଏବଂ ଏମସିଏଲ୍ ଆଦି କମ୍ପାନୀମାନଙ୍କ ଦ୍ଵାରା ଖଣି ଖନନ, ତାପଜ ଶକ୍ତି ଉତ୍ପାଦନ ନିମନ୍ତେ ଏହି ସବୁ ଅଞ୍ଚଳ ଉପରେ ନିର୍ଭରଶୀଳ l ଏହି ପରିପ୍ରେକ୍ଷୀରେ ଏସବୁ ଅଞ୍ଚଳର ସାଧାରଣଜନତାଙ୍କ ନିମନ୍ତେ ବିଭିନ୍ନ ଜନକଲ୍ୟାଣକାରୀ ବ୍ୟବସ୍ଥା ସୁନିଶ୍ଚିତ କରିବା କମ୍ପାନୀମାନଙ୍କ ସାମାଜିକ ଏବଂ ନୈତିକ ଦାୟିତ୍ଵ ବୋଲି ମାନ୍ୟବର ମନ୍ତ୍ରୀ ମତପ୍ରକାଶ କରିଛନ୍ତି l ବୈଠକରେ ଉପରୋକ୍ତ କମ୍ପାନୀମାନଙ୍କ ଦ୍ଵାରା ଚାରୋଟି ଜିଲ୍ଲାର ବିଭିନ୍ନ ସିଏସଆର୍ ପ୍ରକଳ୍ପ ବାବଦରେ ସବିଶେଷ ଆଲୋଚନା କରାଯାଇଥିଲା l ଝାରସୁଗୁଡ଼ାରେ ପ୍ରସ୍ତାବିତ ଏକ ବିଶ୍ୱବିଦ୍ୟାଳୟ ନିମନ୍ତେ ସିଏସଆର୍ ପାଣ୍ଠି ପ୍ରଦାନ ସୁନିଶ୍ଚିତ କରିବା ସହ ଯଥାଶୀଘ୍ର ଏଥି ନିମନ୍ତେ ସ୍ଥାନ ଚିହ୍ନଟ କରି ପ୍ରକଳ୍ପ ଆରମ୍ଭ କରିବାକୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି କାର୍ଡିଆକ୍ କେୟାର୍ ହସ୍ପିଟାଲ୍, ଲଖନପୁର ଠାରେ ଷ୍ଟାଡିୟମ୍ ଏବଂ ଅନ୍ୟାନ୍ୟ ପ୍ରକଳ୍ପମାନଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ କରି ପ୍ରକଳ୍ପ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l

ସିଏସଆର୍ ପ୍ରକଳ୍ପ ଅଧୀନରେ ବିଭିନ୍ନ ବକେୟା ଥିବା ପାଣ୍ଠି ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ଏମସିଏଲର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରଶାସନ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରି ପାଣ୍ଠିର ସମୁଚିତ ଉପଯୋଗ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ଏନଟିପିସି, ଦରଲିପାଲିର ସାଧାରଣ ପରିଚାଳକ, ଓପିଜିସି, ବନହରପାଲିର ପରିଚାଳନା ନିର୍ଦେଶକ, ବିଭିନ୍ନ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ଉତ୍ତରାଞ୍ଚଳ ରାଜସ୍ୱ କମିସନର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୋଳ ଏବଂ ସୁନ୍ଦରଗଡ଼ର ଜିଲ୍ଲାପାଳ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ, ଏମସିଏଲର ଏମଡି ଶ୍ରୀ ଉଦୟ ଏ କାଓଲେ ଏବଂ ଏନଏଲସି ତଳବୀରାର ସାଧାରଣ ପରିଚାଳକ ତଥା ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀଗଣ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking