ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି “ବିଶ୍ୱ ନୃତ୍ୟ ଦିବସ” ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ନିଜର ଅଭିଭାଷଣରେ କହିଥିଲେ ଯେ, “ଓଡ଼ିଶାର ନୃତ୍ୟ ପରମ୍ପରା ସମୃଦ୍ଧ। ଆମ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଓ ଆମର ଲୋକନୃତ୍ୟ ଆମ ରାଜ୍ୟ ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଛି। ବିଶ୍ୱ ନୃତ୍ୟ ଦିବସ ଅବସରରେ ସମସ୍ତ କଳାକାରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଗାମୀ ଦିନରେ ମଧ୍ୟ ଆମ ନୃତ୍ୟଶିଳ୍ପୀମାନେ ନିଜର ନୃତ୍ୟ ମାଧ୍ୟମରେ ଓଡ଼ିଶାର ସଂସ୍କୃତିକୁ ବିଶ୍ୱ ବିଦିତ କରିବା ନିମନ୍ତେ ନିଜର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି ” ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ମତପ୍ରକାଶ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର, ଗୁରୁ ଶ୍ରୀମତୀ କସ୍ତୁରୀ ପଟ୍ଟନାୟକ, ବିଶିଷ୍ଟ ନୃତ୍ୟଶିଳ୍ପୀ ଶ୍ରୀମତୀ ଦୀପ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜର ଅଭିଭାଷଣରେ ଓଡ଼ିଶୀ ନୃତ୍ୟର ଗୌରବମୟ ଇତିହାସ ଉପରେ ଆଲୋକପାତ କରିଥିଲେ। ଗୁରୁ ଡ଼. ମନୋରଞ୍ଜନ ପ୍ରଧାନ, ଗୁରୁ ପୁଷ୍ପିତା ମିଶ୍ର, ଗୁରୁ ଡ଼. ଦୀପ୍ତି ରାଉତରାୟ ପ୍ରମୁଖ ଆଜି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।ଏଥିସହ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ସମ୍ବଲପୁରୀ, ଘୁମୁରା, ପଶୁମୁଖା, ଢ଼େମସା ଆଦି ନୃତ୍ୟ ପରିବେଷିତ ହୋଇଥିଲା। ବିଶିଷ୍ଟ ଗୋଟିପୁଅ ନୃତ୍ୟଗୁରୁ ଶ୍ରୀ ଭାଗିରଥୀ ମହାପାତ୍ର ଓ ଗୁରୁ ଲିଙ୍ଗରାଜ ବାରିକଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଅର୍ଥ ପରାମର୍ଶଦାତା ଶ୍ରୀ ପ୍ରମୋଦ କୁମାର ମଣ୍ଡଳ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।










