28.1 C
Bhubaneswar
Tuesday, April 28, 2026
Homeଓଡିଶାବିଜୁ ବାବୁଙ୍କୁ ବାରମ୍ବାର ଅସମ୍ମାନ କରି ହୀନମନ୍ୟତାର ପରିଚୟ ଦେଇଛନ୍ତି ରାଜ୍ୟ ସରକାର: ବିଜେଡି

ବିଜୁ ବାବୁଙ୍କୁ ବାରମ୍ବାର ଅସମ୍ମାନ କରି ହୀନମନ୍ୟତାର ପରିଚୟ ଦେଇଛନ୍ତି ରାଜ୍ୟ ସରକାର: ବିଜେଡି

“ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର”ର ନାମ ବଦଳାଇବା ପାଇଁ ଚେଷ୍ଟା କରି ସରକାର ବିଫଳ ହୋଇଥିଲେ
୧୦ଟି ଯୋଜନାରୁ ବିଜୁ ବାବୁଙ୍କ ନାମ ହଟାଇ, କହୁଛନ୍ତି ବିଜୁ ବାବୁଙ୍କ ସ୍ୱପ୍ନ ସାକାର କରିବୁ
ଏବେ ବି ରାଜ୍ୟବାସୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝୁରୁଛନ୍ତି
କେବଳ ନାମ ଓ ରଙ୍ଗ ପରିବର୍ତ୍ତନରେ ସୀମିତ ଡବଲ ଇଞ୍ଜିନ ସରକାର

ଭୁବନେଶ୍ୱର: “ବିଜୁ ଶ୍ରମିକ ବନ୍ଧୁ ସମ୍ମାନ” ନାମ ପରିବର୍ତ୍ତନ କରି “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ଘୋଷଣା କରି ହୀନମନ୍ୟତାର ପରିଚୟ ଦେଇଛନ୍ତି ରାଜ୍ୟ ବିଜେପି ସରକାର । ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବା କଥା କହୁଥିବା ମୋହନ ସରକାର ଏଯାବତ ୧୦ଟି ସରକାରୀ ଯୋଜନାରୁ ବିଜୁ ବାବୁଙ୍କ ନାମ ହଟାଇବା ଦୁର୍ଭାଗ୍ୟଜନକ କହି ଦୃଢ଼ ନିନ୍ଦା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଅଧ୍ୟକ୍ଷ ତଥା କଟକ ମେୟର ଶ୍ରୀ ସୁବାଷ ସିଂ, ସାମ୍ମୁଖ୍ୟର ଉପସଭାପତି ଶ୍ରୀ ନବକିଶୋର ମହାନ୍ତି ଓ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଶ୍ରମିକ ସମାଜ ପ୍ରତି ବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଇ ୨୦୧୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ “ବିଜୁ ଶ୍ରମିକ ବନ୍ଧୁ ସମ୍ମାନ” ଆରମ୍ଭ କରିଥିଲେ । ଏହି ଯୋଜନାରେ ପ୍ରତିବର୍ଷ ମେ’ ୧ ତାରିଖ ଶ୍ରମିକ ଦିବସରେ ଶ୍ରମିକ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଶ୍ରମିକ ନେତାମାନଙ୍କୁ ମାନପତ୍ର ସହ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଦେଇ ସମ୍ମାନିତ କରାଯାଉଥିଲା ।

ଶ୍ରୀ ସୁବାଷ ସିଂ କହିଥିଲେ ଯେ, ୯୦ ଦଶକରେ ମୁଖ୍ୟମନ୍ତ୍ରୀ ଭାବେ ବିଜୁ ବାବୁ ଶ୍ରମିକ ମାନଙ୍କ ଦୈନିକ ମଜୁରୀ ୧୧ ଟଙ୍କାରୁ ବୃଦ୍ଧି କରି ୨୫ ଟଙ୍କା କରିଥିଲେ । ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ସାରା ରାଜ୍ୟର ଶ୍ରମିକ ସମାଜ ଉପକୃତ ହୋଇଥିଲେ । ପରବର୍ତ୍ତୀ ସମୟରେ ଶ୍ରମିକ କଲ୍ୟାଣ ପାଇଁ ବିଜୁ ବାବୁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ନାମରେ “ବିଜୁ ଶ୍ରମିକ ବନ୍ଧୁ ସମ୍ମାନ” ପୁରସ୍କାର ପ୍ରଚଳନ କରି ରାଜ୍ୟର ସୁନାମଧନ୍ୟ ଶ୍ରମିକ ନେତାମାନଙ୍କୁ ସମ୍ମାନିତ କରିଆସୁଥିଲେ । ପୂର୍ବରୁ ଶ୍ରମିକ ବନ୍ଧୁ ପୁରସ୍କାର ଦେବା ପାଇଁ ଚୟନ କରିବାକୁ ୧ ମାସ ସମୟ ଦିଆଯାଉଥିଲା । ବର୍ତ୍ତମାନର ବିଜେପି ସରକାର ଏଥିପାଇଁ ମାତ୍ର ୪ ଦିନ ସମୟ ଦେଉଛନ୍ତି । ଶ୍ରମିକ ସଂଗଠନର ଶ୍ରମିକ ନେତା ଓ ଶ୍ରମିକଙ୍କ ପାଇଁ କାମ କରିଥିବା ବ୍ୟକ୍ତିଙ୍କୁ ଚୟନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନାହିଁ । ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୨୫ ଓ ୨୬ ତାରିଖ ସରକାରୀ ଛୁଟି ଦିବସ ରହିଲା । ୨୭ ତାରିଖ ଦିନ ୧୨ଟା ସୁଦ୍ଧା ନାମ ସୁପାରିସ କରିବାକୁ ଶେଷ ସମୟ ଧାର୍ଯ୍ୟ ହୋଇଛି । ଯାହା ଜଣାପଡୁଛି ସରକାର ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି, ଏହି ପୁରସ୍କାରକୁ ଦଳୀୟ ଭିତ୍ତିରେ ପ୍ରଦାନ କରିବେ ।

ଶ୍ରୀ ନବକିଶୋର ମହାନ୍ତି କହିଥିଲେ ଯେ, ବିଜୁ ବାବୁଙ୍କ ନାମ ହଟାଇ ହୀନମନ୍ୟତାର ପରିଚୟ ଦେଇଛନ୍ତି ରାଜ୍ୟ ବିଜେପି ସରକାର । ଶ୍ରମିକ ଦିବସକୁ ଅତ୍ୟନ୍ତ ବେପରୁଆ ଢଙ୍ଗରେ ପାଳନ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ସର୍ବଭାରତୀୟ ସ୍ତରରେ ପ୍ରାଇସ୍ ଇଣ୍ଡେକ୍ସକୁ ଭିତ୍ତି କରି ଶ୍ରମିକ ମାନଙ୍କ ଦୈନିକ ମଜୁରୀରେ ୩୦ ଟଙ୍କା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ, ରାଜ୍ୟ ସରକାର ୧୦ ଟଙ୍କା ବୃଦ୍ଧି ପାଇଁ ନିଷ୍ପତ୍ତି ନେବା ଶ୍ରମିକ ସମାଜ ପ୍ରତି ସମ୍ବେଦନହୀନତା ଦର୍ଶାଉଛି । ଡ଼ ଲେନିନ ମହାନ୍ତି କହିଥିଲେ ଯେ, ସରକାରୀ ଯୋଜନାରୁ ବିଜୁ ବାବୁଙ୍କ ନାମ ହଟାଇବା ପାଇଁ ରାଜ୍ୟ ସରକାର ସମସ୍ତ ଉଦ୍ୟମ କଲେ ମଧ୍ୟ ରାଜ୍ୟବାସୀଙ୍କ ହୃଦୟରୁ ବିଜୁ ବାବୁଙ୍କ ନାମ କେବେ ହଟାଇ ପାରିବେ ନାହିଁ । “ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର”ର ନାମ ପରିବର୍ତ୍ତନ କରିବାର ଅପଚେଷ୍ଟା କରି ବିଫଳ ହୋଇଥିଲେ ରାଜ୍ୟ ସରକାର । ସାଧାରଣ ଜନତାଙ୍କ ଦ୍ୱାରା ଆଦୃତ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା”କୁ ଆଜି ବି ଓଡ଼ିଶାବାସୀ ଝୁରି ହେଉଛନ୍ତି । କେବଳ ନାମ ଓ ରଙ୍ଗ ପରିବର୍ତ୍ତନରେ ସୀମିତ ନ ରହି ଶ୍ରମିକ ମାନଙ୍କ ପାଇଁ ବିଜୁ ବାବୁ ଦେଖିଥିବା ସ୍ୱପ୍ନକୁ ସାକାର କରନ୍ତୁ ଡବଲ ଇଞ୍ଜିନ ସରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking