ଭୁବନେଶ୍ୱର: ପ୍ରଥମରେ ରାଷ୍ଟ୍ର, ଦ୍ୱିତୀୟରେ ସଂଗଠନ ଏବଂ ତୃତୀୟ ତଥା ଶେଷରେ ବ୍ୟକ୍ତି ଏହା ହେଉଛି ବିଜେପିର ମୂଳମନ୍ତ୍ର । ବିଜେପି ତାର କାର୍ଯ୍ୟକର୍ତାମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ରାଜନୈତିକ ବିକାଶ କରିବାକୁ ବିଭିନ୍ନ ସମୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଏହି କ୍ରମରେ ଆଜି ରାଜ୍ୟ କାର୍ଯ୍ୟାଳୟରେ “ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” କୁ ସଫଳ କରିବା ପାଇଁ ପ୍ରଦେଶ ସ୍ତରୀୟ ଆଇଟି ଓ ପ୍ରଦର୍ଶନୀ ଟୋଲୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଆୟୋଜିତ ଯୋଜନା ବୈଠକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ପୂର୍ବ ଭାରତ ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ଦିନେଶାନନ୍ଦ ଗୋସ୍ୱାମୀ, ରାଜ୍ୟ ସଂଯୋଜକ ତଥା ସାଂସଦ ଶ୍ରୀ ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ରାଜ୍ୟ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତା ଯୋଗଦେଇ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି।
ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ସଂପର୍କରେ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ପ୍ରଶିକ୍ଷଣ ଭାରତୀୟ ଜନତାପାର୍ଟି କାର୍ଯ୍ୟକର୍ତାମାନଙ୍କର ଏକ ପ୍ରମୁଖ ଅଙ୍ଗ । କାର୍ଯ୍ୟକର୍ତା ମାନଙ୍କର ବିକାଶ ପାଇଁ ପ୍ରଶିକ୍ଷଣ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଭାରତୀୟ ଜନତାପାର୍ଟିର ସାଂଗଠନିକ କ୍ଷେତ୍ରରେ ସୋସିଆଲ ମିଡିଆ, ଆଇଟି ଏବଂ ପ୍ରଦର୍ଶନୀ ସମ୍ବଦ୍ଧିତ ପ୍ରଶିକ୍ଷଣ ବର୍ଗରେ କିପରି ଉପଯୋଗ କରାଯିବ ସେସବୁ ବିଷୟରେ ଏହି ବୈଠକରେ ବିସ୍ତୃତ ଆଲୋଚନା ଓ ଯୋଜନା କରାଯାଇଛି । ଏହାପୂର୍ବରୁ ଓଡିଶାର ୧୦୫୨ ମଣ୍ଡଳରେ ପ୍ରଶିକ୍ଷଣ ବର୍ଗ ସମାପ୍ତ ହୋଇସାରିଛି । ଆସନ୍ତା ମେ’ ମାସ ୧ ତାରିଖ ଠାରୁ ପାର୍ଟିର ସମସ୍ତ ୩୭ଟି ସାଂଗଠନିକ ଜିଲ୍ଲାରେ ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାପରେ ସମସ୍ତ ୭ ମୋର୍ଚ୍ଚାର ଜିଲ୍ଲାସ୍ତରରୁ ଆରମ୍ଭ କରି ପ୍ରଦେଶ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକର୍ତା, ବିଧାୟକ ଓ ସାଂସଦମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏ ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ସମାପ୍ତ ହେବ ସେ ଉପରେ ବୈଠକରେ ଖସଡା ପ୍ରସ୍ତୁତ କରାଯାଇଥିଲା ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।










